ଓଡ଼ିଶା ଦିବସ ଆମ୍ଭମାନଙ୍କ ଗର୍ବ ଓ ଗୌରବର ପ୍ରତିକ : ବରିଷ୍ଠ କଳାକାର ସଂଘ…

add-all

ବ୍ରହ୍ମପୁର, ତା. ୦୧/୦୪ :କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ ସଭା ପ୍ରକୋଷ୍ଠ ଠାରେ ପବିତ୍ର ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ଆୟୋଜିତ “ଆମେ ଓଡ଼ିଆ, ଆମ ସଂସ୍କୃତି ବଢିଆ” କାର୍ଯ୍ୟକ୍ରମକୁ କଳାପ୍ରାଣ କୈଳାସ ପାଣିଗ୍ରାହୀ ଶୁଭ ଉଦ୍ଘାଟନ କରିଥିଲେ। ପ୍ରଥମେ ଗାୟକଶ୍ରୀ ରାମ ଚନ୍ଦ୍ର ସାହୁ ଏବଂ ସାଥୀ ପ୍ରଭାକର ମିଶ୍ରଙ୍କ ଦ୍ୱାରା ଲୋକକଳା ଦାସକାଠିଆ ପରିବେଷଣ କରାଯାଇଥିଲା। ପରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବରିଷ୍ଠ ଲୋକକଳା ଗବେଷକ ନାଟ୍ୟକାର ଡଃ. ବାୟାମନୁ ଚର୍ଚ୍ଚି ମୂଖ୍ୟ ଅତିଥି ଏବଂ ନାଟ୍ୟକାର ଇଂ. ଆଶୁତୋଷ ପାତ୍ର, ବରିଷ୍ଠ ସାରସ୍ୱତ ସାଧକ ତଥା ମଞ୍ଚ ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣା, ନାଟ୍ୟ ନିର୍ଦ୍ଦେଶକ ଏନ୍. ରାମବାବୁ, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସମ୍ପାଦକ ନାଟ୍ୟକାର ରମେଶ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଦିବସ ଆମ୍ଭମାମାନଙ୍କର ଗର୍ବ ଓ ଗୌରବର ପ୍ରତୀକ ଏବଂ ଓଡ଼ିଶାର ଗରିମା ବୃଦ୍ଧି ନିମନ୍ତେ ଆମ୍ଭେ ସଭିଏଁ ସତତ ଚେଷ୍ଟିତ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷାବିତ୍ ତଥା ଅଭିନେତା ଶଙ୍କର୍ଷଣ ସାବତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁରାଧା ସାହୁ, ବନ୍ଦନା ନନ୍ଦ, ବନ୍ଦନା ମହାପାତ୍ର, ଅଞ୍ଜଳି ବାଘ ପ୍ରମୁଖ ମିଳିତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ କେତେକ ପ୍ରଥିତଯଶା କଳାକାରଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧନା ଦିଆଯିବା ସହ ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟ ପ୍ରଦୀପ ମଦନ ମିଶ୍ରଙ୍କୁ ତାହାଙ୍କ ସତୁରିତମ ଜନ୍ମ ଦିବସର ଶୁଭେଚ୍ଛା ଓ ଶୁଭ କାମନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ମହେନ୍ଦ୍ର କୁମାର ସାହୁ, ଚିତ୍ତ ରଂଜନ ଦଳାଇ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଚନ୍ଦ୍ରଭାନୁ ନାୟକ, ବି. ଶିବ ପ୍ରସାଦ ରାଓ, ଅଶୋକ କୁମାର ପାଣି, ବିଜୟ ସାହୁ, ୱାଇ. ଲକ୍ଷ୍ମଣମୂର୍ତ୍ତି, ଜି. କାମରାଜୁ ପାତ୍ର, ହରିଶ୍ଚନ୍ଦ୍ର ବରଡ଼, ସୁଦାମ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସମ୍ପାଦକ ରୋଶନ୍ ଜୁଲାଇ ତିନି ତାରିଖରେ ସଂଘ ପକ୍ଷରୁ ପଞ୍ଚ ସହସ୍ର କଳାକାରଙ୍କୁ ନେଇ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ଆୟୋଜନ ସୂଚନା ସହିତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.