
ବିରମିତ୍ରପୁର: ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ସହରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ମହା ସମାରୋହରେ ‘ଉତ୍କଳ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଦଳୀୟ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଓଡ଼ିଶାର ସ୍ୱାଭିମାନ ଓ ପ୍ରଗତିର ସଂକଳ୍ପ ନେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ପ୍ରତିଟି ଓଡ଼ିଆଙ୍କ ଆବେଗ ଓ ସ୍ୱାଭିମାନର ପରିଚୟ। ମାତୃଭାଷାର ଗୌରବକୁ ବଜାୟ ରଖି ସମସ୍ତଙ୍କୁ ସାଥିରେ ନେଇ ବିକାଶ ପଥରେ ଆଗକୁ ବଢ଼ିବା ପାଇଁ ଏହି ସଭାରେ ଆହ୍ୱାନ ଦିଆଯାଇଥିଲା।
ତେବେ ଏହି କାର୍ଯ୍ୟକ୍ରମରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦଳ ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯାଇଥିଲା। ଛାତ୍ର ନେତା ମହମ୍ମଦ ଏଜାଜ ଆଲମ ନିଜ ବକ୍ତବ୍ୟରେ କହିଥିଲେ ଯେ, “ବିଜୁ ବାବୁ ଥିଲେ ଓଡ଼ିଶାର ସମ୍ବିତ ଓ ସ୍ୱାଭିମାନର ପ୍ରତୀକ, ତାଙ୍କ ପ୍ରତି ଏଭଳି ଅଶୋଭନୀୟ ମନ୍ତବ୍ୟ ଦୁର୍ଭାଗ୍ୟଜନକ।”
ବିରମିତ୍ରପୁର ନଗର ସଭାପତି କୁନା ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଶଶି ସାଗର, ପୌରପାଳିକା ଉପାଧ୍ୟକ୍ଷା ନିବେଦିତା ବାଗେ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ ଓ ଆବୁଲ ଖୈରୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ଲୋରେନ୍ସ ବାଗେ, ୱାର୍ଡ କାଉନସିଲର କମଲେଶ ସିଂ, ନିର୍ମଳା କୁଜୁର, ଅଶୋକ ନାୟକ, ମାନସ ନନ୍ଦ, ରୋହିତ ଦିପ, ପ୍ରମୋଦ ବୁଡ଼ା, ସାରିକା ବୁଡ଼ାଙ୍କ ସମେତ ବିଜୁ ଜନତା ଦଳର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।