
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ରଘନାଥପୁର ଗ୍ରାମର ଆରାଧ୍ୟା ଦେବୀ ମା ବ୍ରାହ୍ମଣୀ ଦେବୀଙ୍କ ୧୬ତମ ବାର୍ଷିକ ଉତ୍ସବ ସମାଜସେବୀ ନରୋତ୍ତମ ନାୟକ (ବାବୁଲି)ଙ୍କ ଆବାହକତ୍ୱରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଗୁରୁ ବାର ଦିନ ଏକ ଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଥିଲା।ଶୁଭ ଅଙ୍କୁରାରୋପଣ, ଶାଲା ମଣ୍ଡନ କରାଯାଇଥିବା ବେଳେ ପୂର୍ବାହ୍ନ ସମୟରେ କଳସ ଯାତ୍ରା ମହାଆଡମ୍ବର ସହକାରେ ଆୟୋଜିତ ହୋଇଥିଲା ।
ଏହି କଳସ ଯାତ୍ରାରେ ୩୧ କଳସ ବ୍ରତଧାରୀମାନେ ନିକଟସ୍ଥ ପୋଖରୀରୁ ପବିତ୍ର ଜଳ ସହିତ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ପୂଜା ଅର୍ଚନା କରିବା ପରେ ନିଜ ଗ୍ରାମକୁ ପରିକ୍ରମା କରି ଯଜ୍ଞ ବେଦୀରେ କଳସ ସ୍ଥାପନ କରିଥିଲେ । ଗ୍ରାମବାସୀମାନେ ନିଜ ନିଜ ଦୁଆରେ ଝୋଟି, ଚିତା ସହ ପ୍ରଦୀପ ପ୍ରଜ୍ବଳନ, କଳସ ସ୍ଥାପନ କରି କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଯଜ୍ଞରେ କର୍ତ୍ତା ଭାବରେ ଯୁଗଳ ମାନସିଂହ ଓ କର୍ତ୍ତୀ ଭାବରେ ତାଙ୍କର ସହଧର୍ମିଣୀ ଯୋଗ ଦେଇଥିଲେ । ସ୍ଥାନୀୟ ପଣ୍ଡିତ ବିପିନ ଓ ବିଜୟ ଭାଇନା ଯଜ୍ଞକୁ ନୀତି କାନ୍ତି ଅନୁଯାଇ ସୁପରିଚାଳନା କରିଥିଲେ। ଏହି ଯଜ୍ଞରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ରାଜସୁନାଖଳା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ସଚ୍ଚିକାନ୍ତ ଷଡ଼ଙ୍ଗୀ, ସୁରେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ । ଏହି ଯଜ୍ଞରେ ରଘନାଥପୁର ଗ୍ରାମର ଯୁବକମାନେ ସହଯୋଗ କରିଥିଲେ ।