ସ୍କୁଲ ପିଣ୍ଡି ନିର୍ମାଣରେ ଅନିୟମିତତା ଅଭିଯୋଗ : ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ

add-all

ବିରମିତ୍ରପୁର, (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ପିଣ୍ଡି ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ୱୟଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ବିଦ୍ୟାଳୟ ପରିସରରେ ଏକ ନୂତନ ପିଣ୍ଡି ନିର୍ମାଣ କରାଯାଉଛି। କିନ୍ତୁ ଏହି କାର୍ଯ୍ୟ କେଉଁ ସଂସ୍ଥା ଦ୍ୱାରା କରାଯାଉଛି, ଏହାର ବ୍ୟୟ ଅଟକଳ କେତେ ଏବଂ କିଏ ଏହି କାର୍ଯ୍ୟ କରୁଛି, ସେ ନେଇ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ସୂଚନା ଫଳକ ଅଭାବରୁ କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ, ସେ କହିଛନ୍ତି ଯେ କୁଆଁରମୁଣ୍ଡା ବ୍ଲକର ଜେଇ (JE) ଅଜିତ ଗିରିଙ୍କ ନାମରେ ଏହି କାର୍ଯ୍ୟ କରାଯାଉଛି।

ଅଭିଯୋଗ ଅନୁଯାୟୀ, ନିର୍ମାଣ କାର୍ଯ୍ୟରେ ଅତି କମ୍ ପରିମାଣର ସିମେଣ୍ଟ ବ୍ୟବହାର କରାଯାଉଥିବା ବେଳେ ପିଣ୍ଡି ରେ ଠିକ୍ ଭାବରେ ପାଣି ମଧ୍ୟ ଦିଆଯାଉ ନାହିଁ। ଫଳରେ ନିର୍ମାଣ ସରିବା ପୂର୍ବରୁ ହିଁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ଟାଇଲ୍ସଗୁଡ଼ିକ ମଧ୍ୟ ସଠିକ୍ ଭାବେ ଲଗାଯାଇ ନଥିବାରୁ ଅନେକ ସ୍ଥାନରେ ଟାଇଲ୍ସ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।

ଏହି ନିମ୍ନମାନର ନିର୍ମାଣକୁ ତୁରନ୍ତ ବନ୍ଦ କରିବା ସହ ଏହାକୁ ଭାଙ୍ଗି ଜଣେ ଦକ୍ଷ ଠିକେଦାରଙ୍କ ଜରିଆରେ ପୁଣି ଥରେ ନୂତନ ଭାବେ ନିର୍ମାଣ କରିବାକୁ ଦାବି ହୋଇଛି। ବର୍ତ୍ତମାନ କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ (BDO) ଏହି ଘଟଣା ଉପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.