ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା

add-all

ଭୁବନେଶ୍ୱର: ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍ ବୋଲି ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ୍‌’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଲୋକସେବା ଭବନ କନଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କର୍ମଶାଳାରେ ସେ କହିଥିଲେ ଯେ, ଦେଶର ଭିଜନ୍ ସହିତ ତାଳ ମିଳାଇ ଆମ ସରକାର ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଜୀବନଧାରଣର ମାନରେ ଉନ୍ନତି ଆଣିବା, ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା, ମହିଳା ଶ୍ରମିକଙ୍କ ଅଂଶଗ୍ରହଣକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା, ହାରାହାରି ଆୟୁଷକୁ ୮୦ ବର୍ଷରୁ ଅଧିକ କରିବା ଏବଂ ରକ୍ତହୀନତା ଓ ଅପପୁଷ୍ଟିକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ୍‌ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳ ଭିତ୍ତିକୁ ସୁଦୃଢ଼ କରିବ । ଚଳିତ ବଜେଟ୍‌ରେ କାର୍ଯ୍ୟକ୍ରମ ଓ ଯୋଜନା ମିଶି ୩୧ଟି ନୂଆ ପଦକ୍ଷେପ ନିଆଯାଇଛି ।
ଏହି ବଜେଟ୍‌ରେ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ପୁଞ୍ଜି ବ୍ୟୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷର ବଜେଟ, ବିଗତ ବର୍ଷର ବଜେଟ ଅଟକଳ ଠାରୁ ୭ ପ୍ରତିଶତ ଅଧିକ। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହା ଅସମ୍ଭବ ଲାଗୁଥିଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ଓଡ଼ିଆ ମାନଙ୍କ ପାଖରେ ଅଛି ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏହା ନିଶ୍ଚିନ୍ତ ରୂପେ ସମ୍ଭବ ହେବ ।
ସେ କହିଥିଲେ ଯେ, ଆସନ୍ତା ୧ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ତରରେ “ଆମେ ଜାଣିବା, ଆମ ବଜେଟ” କାର୍ଯ୍ୟକ୍ରମ ଆୟୋଜିତ ହୋଇ ବଜେଟର ବିଭିନ୍ନ ପାର୍ଶ୍ୱକୁ ସରଳ ଭାଷାରେ ଲୋକଙ୍କ ନିକଟକୁ ପହଞ୍ଚାଯିବ। ସେ ଜନସାଧାରଣଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ଭାଗ ନେଇ ତାଙ୍କର ମତାମତ ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ନିମନ୍ତ୍ରିତ ଅତିଥିବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.