ଫ୍ଲାଇ ଆସ୍ ପରିବହନ ଆଳରେ କୋଟି କୋଟି ଟଙ୍କାର ଠକେଇ: ୪ ଗିରଫ, ବିପୁଳ GPS ଡିଭାଇସ୍ ଜବତ

kalipuja

ସୁନ୍ଦରଗଡ଼ : ଗାଡ଼ି ଯାଉନଥିଲା ଗନ୍ତବ୍ୟସ୍ଥଳକୁ ।  ହେଲେ GPSରେ ଦେଖାଉଥିଲା ପହଞ୍ଚିବାର ସଠିକ୍ ଲୋକେସନ୍ । ଟେକ୍ନୋଲୋଜିକୁ ହତିଆର କରି ଚାଲିଥିଲା କୋଟି କୋଟି ଟଙ୍କାର ମହାଘୋଟାଲା ।  ଫ୍ଲାଇ ଆଶ୍ ପରିବହନ ନାଁରେ ଚାଲିଥିବା ଏହି ହାଇଟେକ୍ ରାକେଟ୍ ର ପର୍ଦ୍ଦାଫାସ୍ କରିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ପୋଲିସ ।  ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର GPS ଡିଭାଇସ୍ ଓ ନକଲି ନମ୍ବର ପ୍ଲେଟ୍ ଜବତ ହୋଇଛି। NTPC ଦର୍ଲିପାଲିରୁ ଫ୍ଲାଇ ଆଶ୍ ବୋଝେଇ ହୋଇ ଜରେଇକେଲା ଯିବାର ଥିଲା ।

କିନ୍ତୁ ଠକମାନେ ଆଶ୍ କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ବଦଳରେ ଅଧା ରାସ୍ତାରେ ଫିଙ୍ଗି ଦେଉଥିଲେ।  ଆଉ ପରିବହନ ବିଲ୍ ହଡ଼ପ କରିବା ପାଇଁ ଆପଣାଇଥିଲେ ଏକ ଅଭିନବ କୌଶଳ। ହାଇୱା ଟ୍ରକ୍ ରୁ GPS ଖୋଲି ତାହାକୁ ଏକ କାର୍ ରେ ଲଗାଯାଉଥିଲା। କେବଳ ସେଇ କାର୍ ଟି ଜରେଇକେଲା ଯାଇ ନକଲି ଯାତ୍ରା ରେକର୍ଡ ବା ଫେକ୍ ରୁଟ୍ ତିଆରି କରୁଥିଲା। ଏହି ନକଲି ରେକର୍ଡ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ପରିବହନ ଖର୍ଚ୍ଚ ହଡ଼ପ କରାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବଡ଼ଗାଁ ପୋଲିସ ଗରିଆମାଳ ଛକରେ ଅତର୍କିତ ଚଢ଼ାଉ କରି ସନ୍ଦିଗ୍ଧ କାର୍ ଟିକୁ ଅଟକାଇଥିଲା ।

ଯାଞ୍ଚ ବେଳେ କାର୍ ଭିତରୁ ୨୧ଟି GPS, ୫୨ଟି ନକଲି ନମ୍ବର ପ୍ଲେଟ୍ ଏବଂ ୫୯ଟି ପରିବହନ ଚାଲାଣ ଜବତ ହୋଇଥିଲା। କେବଳ ସେତିକି ନୁହେଁ, ସମ୍ପୃକ୍ତ ଟ୍ରାନ୍ସପୋର୍ଟ ଅଫିସ୍ ରେ ଚଢ଼ାଉ କରି ପୋଲିସ ଆଉ ୨୯ଟି GPS ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।  ଏହି ଠକେଇ ମାମଲାରେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।  ସେମାନଙ୍କ ବିରୋଧରେ BNS ଏବଂ IT ଆକ୍ଟରେ ମାମଲା ରୁଜୁ ହୋଇଛି। ତେବେ ଏହି ହାଇଟେକ୍ ରାକେଟ୍ ପଛରେ ଆଉ କେଉଁ ବଡ଼ ମାଫିଆଙ୍କ ହାତ ରହିଛି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.