
ମାଲକାନଗିରି: ସୀମାନ୍ତ ଛତିଶଗଡ଼ରର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ନକ୍ସଲ ବିରୋଧୀ ଅଭିଯାନ ସମୟରେ ଭୈରମଗଡ଼ ଥାନା ଅଞ୍ଚଳର ଇନ୍ଦ୍ରାବତୀ ନଦୀ ନିକଟସ୍ଥ ଜଙ୍ଗଲରୁ ୩.୮୪ କିଲୋଗ୍ରାମ ସୁନା ଏବଂ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ଜବତ ହୋଇଛି। ଜବତ ସୁନା ଓ ଟଙ୍କାର ମୋଟ ଆନୁମାନିକ ମୂଲ୍ୟ ୪ କୋଟି ୫୩ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ପୋଲିସ ସୂଚନା ଅନୁଯାୟୀ, ୨୮ ନଭେମ୍ବର ୨୦୨୬ରେ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଡମ୍ପ ଲୁଚାଇ ରଖାଯାଇଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ତଲାସି ସମୟରେ ମାଟିତଳେ ପୋତି ରଖାଯାଇଥିବା ଏକ ଷ୍ଟିଲ୍ ଡବା ଉଦ୍ଧାର ହୋଇଥିଲା । ଡବା ଭିତରୁ ୧୦ ତୋଳା ଓଜନର ୩୩ଟି ସୁନା ବିସ୍କୁଟ ମିଳିଥିଲା । ଏହାର ମୋଟ ଓଜନ ୩୩୦ ତୋଳା, ଅର୍ଥାତ୍ ପ୍ରାୟ ୩.୮୪ କିଲୋଗ୍ରାମ ହୋଇଥିବା ବେଳେ ସୁନାର ଆନୁମାନିକ ମୂଲ୍ୟ ୪ କୋଟି ୨୯ ଲକ୍ଷ ଟଙ୍କା ରହିଛି।
ଏହା ସହିତ ୫୦୦ ଟଙ୍କିଆ ନୋଟ୍ରେ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ଜବତ ସୁନା ଓ ନଗଦ ଟଙ୍କା ସମ୍ପର୍କରେ ଭୈରମଗଡ଼ ଥାନାରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜାପୁର ଜିଲ୍ଲାରେ ଲଗାତାର ନକ୍ସଲ ବିରୋଧୀ ଅଭିଯାନ ଜରିଆରେ ବିଭିନ୍ନ ମାଓବାଦୀ ଡମ୍ପରୁ ଏପର୍ଯ୍ୟନ୍ତ ମୋଟ ୧୨.୩୪ କିଲୋଗ୍ରାମ ସୁନା ଏବଂ ୮ କୋଟି ୨୪ ଲକ୍ଷ ୩୩ ହଜାର ୩୦୦ ଟଙ୍କା ନଗଦ ଜବତ କରାଯାଇଛି । ମାଓବାଦୀ ସଂଗଠନର ଆର୍ଥିକ ନେଟୱାର୍କ ଓ ଗୁପ୍ତ ସମ୍ପତ୍ତି ଉପରେ ସୁରକ୍ଷା ବାହିନୀର ଏହି କାର୍ଯ୍ୟକୁ ଏକ ବଡ଼ ଆଘାତ ଭାବେ ଦେଖାଯାଉଛି ।
