ଟିସି ପାଇଁ ସ୍କୁଲରେ ତାଲା: ରାସ୍ତାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

add-all

ମାଲକାନଗିରି, ୦୮/୦୪: ମାଲକାନଗିରି ଜିଲ୍ଲା ଏମଭି-୯ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ସପ୍ତମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରାନ୍ସଫର ସାର୍ଟିଫିକେଟ୍ (TC) ନମିଳିବାରୁ ଅଭିଭାବକମାନେ ଅତିଷ୍ଠ ହୋଇ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଫଳରେ କୋମଳମତି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଭିତରକୁ ଯାଇ ନପାରି ଗାଁ ରାସ୍ତାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ତିନି ମାସ ତଳେ ବିଦ୍ୟାଳୟରେ କୌଣସି ଏକ ସମସ୍ୟା ଯୋଗୁଁ ତତ୍କାଳୀନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ଶିକ୍ଷା ଅଧିକାରୀ ଅନ୍ୟତ୍ର ବଦଳି କରିଥିଲେ। ମାତ୍ର ବର୍ତ୍ତମାନ ପରୀକ୍ଷା ଶେଷ ହେବା ପରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିଲେ ହେଁ, ବିଦ୍ୟାଳୟର ଅତି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯଥା- ଆଡମିଶନ ରେଜିଷ୍ଟର, ଟିସି ରେଜିଷ୍ଟର ଏବଂ ମଧ୍ୟାହ୍ନ ଭୋଜନ ଖାତା ମିଳୁନାହିଁ। ପୂର୍ବତନ ପ୍ରଧାନ ଶିକ୍ଷକ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ନିଜ ସାଙ୍ଗରେ ନେଇଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ରେଜିଷ୍ଟର ନଥିବା ଯୋଗୁଁ ସପ୍ତମ ଶ୍ରେଣୀ ପାସ୍ କରିଥିବା ପିଲାମାନେ ଟିସି ପାଇପାରୁ ନାହାନ୍ତି, ଯାହା ଫଳରେ ସେମାନେ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବାରେ ସମସ୍ୟା ଉପୁଜିଛି। ଏପରିକି ବିଦ୍ୟାଳୟରେ ନୂତନ ଆଡମିଶନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅଭିଭାବକମାନେ ପ୍ରଧାନ ଶିକ୍ଷକ ଶ୍ରୀ ସାମନ୍ତରାୟଙ୍କୁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଫୋନ୍ ଉଠାଉ ନାହାନ୍ତି। ଶିକ୍ଷକଙ୍କ ଏପରି ଦାୟିତ୍ୱହୀନତା ଏବଂ ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ କରି ଅଭିଭାବକମାନେ ଶେଷରେ ସ୍କୁଲରେ ତାଲା ପକାଇବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.