ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ: ୨୫ ବର୍ଷର ସଫଳ ଯାତ୍ରା ପାଇଁ ଗୁରୁଜୀ ଓ ସମିତି ସଦସ୍ୟ ସମ୍ବର୍ଦ୍ଧିତ

add-all

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ମହୋତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ମାଲକାନଗିରି ସହଜିଲ୍ଲା ସମ୍ପର୍କ ପ୍ରମୁଖ ଶ୍ରୀ ବିଶ୍ୱନାଥ ସାହୁ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଶ୍ରୀ ବିଦେଶୀ ଗୌଡ଼, ତହସିଲଦାର ଶ୍ରୀ ନଟବର ଗରଡ଼ା, ଶିକ୍ଷା ବିକାଶ ସମିତିର ସହଜିଲ୍ଲା ପ୍ରମୁଖ ଶ୍ରୀ ଚିତ୍ତରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ସତ୍ୟବାଦୀ ବେହେରା, ସମ୍ପାଦକ ଶ୍ରୀ ଶଶାଙ୍କ ଶେଖର କର ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନରସିଂହ କପେ ମଞ୍ଚାସୀନ ଥିଲେ। ପ୍ରଥମେ ମା’ ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହାପରେ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।

ମୁଖ୍ୟ ବକ୍ତା ଶ୍ରୀ ସାହୁ ନିଜ ବକ୍ତବ୍ୟରେ କୋମଳମତି ଶିଶୁମାନଙ୍କର ଶୈକ୍ଷିକ, ବୌଦ୍ଧିକ, ଶାରୀରିକ ଓ ନୈତିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ଉନ୍ନତି ନିମନ୍ତେ ବ୍ଲକ ଅଧ୍ୟକ୍ଷା, ତହସିଲଦାର ଏବଂ ବିଧାୟକ ପ୍ରତିନିଧି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଭିନ୍ନ ବାର୍ଷିକ କ୍ରୀଡ଼ା ଓ ବୃତ୍ତି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଜୟନ୍ତୀ ସମାରୋହର ବିଶେଷ ଆକର୍ଷଣ ଥିଲା ଗତ ୨୫ ବର୍ଷ ଧରି ବିଦ୍ୟାଳୟର ଗଠନ ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂର୍ବତନ ଓ ବର୍ତ୍ତମାନର ପରିଚାଳନା ସମିତି ସଦସ୍ୟ ଏବଂ ଗୁରୁଜୀ-ଗୁରୁମାମାନଙ୍କୁ କରାଯାଇଥିବା ଭବ୍ୟ ସମ୍ବର୍ଦ୍ଧନା। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ର ଚାନ୍ଦରାଜ ଭୂୟାଁ ଓ ଅର୍ପିତା ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଶ୍ରୀ ଶଶାଙ୍କ ଶେଖର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମହୋତ୍ସବକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ ସେବକ ସେବିକାମାନେ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.