ବ୍ରହ୍ମପୁର ଏମକେସିଜିରେ ୧୪୦ ଡାକ୍ତରୀ ଛାତ୍ରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ଟିକା ପ୍ରଦାନ…

add-all

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ୧୪୦ ଜଣ ଡାକ୍ତରୀ ଛାତ୍ରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ବା ଜରାୟୁ ମୁଖ କର୍କଟ ରୋଗରୁ ସୁରକ୍ଷିତ ରଖିବା ପାଇଁ ଟିକାକରଣ କରାଯାଇଛି। ୧୫ ରୁ ୨୬ ବର୍ଷ ବୟସ ସୀମା ମଧ୍ୟରେ ଥିବା ଏହି ଛାତ୍ରୀମାନେ ଅତି ଆଗ୍ରହର ସହ ଏହି ଟିକା ଗ୍ରହଣ କରିଥିଲେ। ବ୍ରହ୍ମପୁରର ‘ଅବସଟେଟ୍ରିକ୍ସ ଏବଂ ଗାଇନେକୋଲୋଜି ସୋସାଇଟି’ (ସ୍ତ୍ରୀ ଓ ପ୍ରସୂତି ରୋଗ ସମିତି) ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ଏହି ‘ହ୍ୟୁମ୍ୟାନ୍ ପାପିଲୋମା ଭାଇରସ୍’ (ଏଚ୍.ପି.ଭି.) ଟିକା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ୧୬୦ ଜଣ ଛାତ୍ରୀଙ୍କୁ ଏହିଭଳି ଭାବେ ଟିକା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଭାରତୀ ମିଶ୍ର, ଡାକ୍ତର ଇନ୍ଦିରା ପାଳ ଏବଂ ଡାକ୍ତର ପି. ସୁଲେଖା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଭାରତର ‘ସେରମ୍ ଇନଷ୍ଟିଚ୍ୟୁଟ୍’ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ସର୍ଭାଭାକ୍’ ଏଚ୍.ପି.ଭି. ଟିକା ଏହି ଅଭିଯାନରେ ବ୍ୟବହାର କରାଯାଉଛି। ଏହି ଟିକା ଏଚ୍.ପି.ଭି. ର ୬, ୧୧, ୧୬ ଏବଂ ୧୮ ଭଳି ବିପଜ୍ଜନକ ଭୂତାଣୁକୁ ପ୍ରତିହତ କରିବାରେ ସକ୍ଷମ ବୋଲି ଫିଲ୍ଡ ଷ୍ଟାଫ୍ ଏସ୍. ଶ୍ରୀନିବାସ ଓ ବୀରେନ୍ଦ୍ର ଦୋରା ପ୍ରକାଶ କରିଛନ୍ତି।

ଏହି ମହତ କାର୍ଯ୍ୟକ୍ରମ ପଛରେ ପ୍ରସିଦ୍ଧ ଶତାୟୁ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର କେ. ଲକ୍ଷ୍ମୀ ବାଇଙ୍କ ବଦାନ୍ୟତା ରହିଛି। ସେ କିଶୋରୀ କନ୍ୟାମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସରରୁ ରକ୍ଷା କରିବା ପାଇଁ ପୂର୍ବରୁ ସୋସାଇଟିକୁ ୩ ଲକ୍ଷ ଟଙ୍କା ଦାନ କରିଥିଲେ, ଯାହାର ସହାୟତାରେ ଏହି ଟିକାକରଣ କାର୍ଯ୍ୟକ୍ରମ ସଫଳ ହୋଇପାରିଛି। ଭାରତରେ ଏଚ୍.ପି.ଭି. ସଂକ୍ରମଣ ଯୋଗୁଁ ପ୍ରତିବର୍ଷ ହଜାର ହଜାର ମହିଳା ଜରାୟୁ ମୁଖ କର୍କଟରେ ପ୍ରାଣ ହରାଉଥିବା ବେଳେ ଏହାକୁ ରୋକିବା ପାଇଁ ଦେଶବ୍ୟାପୀ ବିଭିନ୍ନ ସ୍କୁଲ, ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯାନ ଚାଲିଛି। ଏହି ଅଭିଯାନ ମାଧ୍ୟମରେ ବର୍ଷକୁ ପ୍ରାୟ ୧ କୋଟି ୧୫ ଲକ୍ଷ ଝିଅଙ୍କୁ ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ad-week
Leave A Reply

Your email address will not be published.