
ଉମରକୋଟ (ରିପୋର୍ଟ – ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସାଙ୍ଘାତିକ ଅବହେଳା ସାମ୍ନାକୁ ଆସିଛି। ଜଣେ ଡାକ୍ତର କିମ୍ବା ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ବଦଳରେ ଜଣେ ସଫେଇ କର୍ମଚାରୀ (ଝାଡୁଦାର) ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଫଳରେ ଜଣେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ସୁନାବେଡ଼ା ପଞ୍ଚାୟତ ସଦର ମହକୁମାରେ ଥିବା ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’କୁ ରାଧେଶ୍ୟାମ ସରକାର (୨୮) ନାମକ ଜଣେ ଯୁବକ ନିଜର ଶର୍କରା (ସୁଗାର) ସ୍ତର ଯାଞ୍ଚ କରିବା ପାଇଁ ଯାଇଥିଲେ। ମାତ୍ର ସେହି ସମୟରେ କେନ୍ଦ୍ରରେ କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ନଥିଲେ। ସେଠାରେ କାର୍ଯ୍ୟରତ ଜଣେ ସଫେଇ କର୍ମଚାରୀ ଯୁବକଙ୍କ ସମସ୍ୟା ଶୁଣି ନିଜେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ।
ଇଞ୍ଜେକ୍ସନ ପ୍ରୟୋଗର କିଛି ମିନିଟ୍ ମଧ୍ୟରେ ରାଧେଶ୍ୟାମଙ୍କ ଶରୀରରେ ପ୍ରତିକ୍ରିୟା ଦେଖାଦେଇଥିଲା। ସେ ଅସ୍ୱାଭାବିକ ଆଚରଣ କରିବା ସହ ପାଗଳଙ୍କ ଭଳି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଯୁବକଙ୍କ ଏପରି ଅବସ୍ଥା ଦେଖି ପରିବାର ଲୋକେ ଭୟଭୀତ ହୋଇ ତାଙ୍କୁ ଘରକୁ ନେଇଯାଇଥିଲେ। କିଛି ଘଣ୍ଟା ବିଶ୍ରାମ ପରେ ତାଙ୍କ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଛି।
ଏହି ଘଟଣା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଜଣେ ଅପ୍ରଶିକ୍ଷିତ କର୍ମଚାରୀ କିପରି ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଦେଲେ ଏବଂ ଏଥିପାଇଁ ତାଙ୍କୁ କିଏ ଅନୁମତି ଦେଲା, ସେ ନେଇ ଗୁରୁତର ପ୍ରଶ୍ନ ଉଠିଛି। ସମ୍ପୃକ୍ତ ଡାକ୍ତର ଏହି ତ୍ରୁଟିକୁ ସ୍ୱୀକାର କରିଥିଲେ ହେଁ, ଦୋଷୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସ୍ଥାନୀୟ ଲୋକେ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଡାକ୍ତରଙ୍କୁ ତୁରନ୍ତ ବଦଳି କରିବା ସହ ଉକ୍ତ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରୁ ବର୍ଖାସ୍ତ କରିବାକୁ ଦାବି କରିଛନ୍ତି।