ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ: ଯୋଗଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବିଧାୟକ

add-all

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାସ୍ଥିତ ସରକାରୀ ଏସଏସଡି (SSD) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ଲାଉଡ଼ିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ସଂସ୍କାର ମାଧ୍ୟମରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣାଦାୟୀ ଉଦବୋଧନ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ସାହୁ, ସମାଜସେବୀ ଶ୍ରୀ ଦେବେନ୍ଦ୍ର ଦାସ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସୁକଦେଵ ହନ୍ତାଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ଲାଉଡ଼ିଆ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ବର୍ଷ ସାରା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ସନ୍ଧ୍ୟା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତ ଅତିଥି ଓ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ଅତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.