ସଶକ୍ତ ନାରୀ, ସଶକ୍ତ ଭାରତ ଗଠନ ପାଇଁ  ଏକ ଯୁଗାନ୍ତକାରୀ ପଦକ୍ଷେପ, ସମୟର ଆହ୍ବାନ

add-all

ନାରୀ ଶକ୍ତି ବନ୍ଦନ ପାଇଁ ଟାଉନ୍‌ହଲ ମିଟିଂ, ଯୋଗଦେଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର  :  ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଜଣାଇ ଗତ ୧୨ ବର୍ଷ ମଧ୍ୟରେ ମହିଳାଙ୍କ ବିକାଶ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଛନ୍ତି। କିନ୍ତୁ, ସବୁଠାରୁ ବୈପ୍ଲବିକ ନିଷ୍ପତି ହେଉଛି ୨୦୨୩ ମସିହାର ନାରୀ ଶକ୍ତି ବନ୍ଦନ ଅଧିନିୟମ। ଯାହା ସ୍ୱାଧୀନତ୍ତୋର ଭାରତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଆୟୋଜିତ ନାରୀଶକ୍ତି ବନ୍ଦନ ଟାଉନ ହଲ୍ ମିଟିଂ ଅବସରରେ କହିଛନ୍ତି।

ଭୁବନେଶ୍ବର ରେଳ ଅଡିଟୋରିଅମ୍‌ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ କେବଳ ଏକ ଆଇନ୍ ନୁହେଁ, ବରଂ କୋଟି କୋଟି ମହିଳାଙ୍କ ସ୍ବପ୍ନର ଉଡାଣ। ଏହି ଅଧିନିୟମ ଦ୍ବାରା ଲୋକସଭା  ଓ ବିଧାନସଭା ଗୁଡିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ସୁନିଶ୍ଚିତ ହୋଇଛି। ଇତିହାସ ଜାଣିଛି, ଯେତେବେଳେ ଜଣେ ନେତୃତ୍ବ ନିଅନ୍ତି, ସେତେବେଳେ ସେ ନିଜେ ସଶକ୍ତ ହେବା ସହିତ ସମଗ୍ର ସମାଜ ଓ ରାଷ୍ଟ୍ର ଉପକୃତ ହୋଇଥାଏ। ଭାରତୀୟ ଗଣତନ୍ତ୍ରରେ ଆଜି ମହିଳାମାନେ କେବଳ ଭୋଟର ନୁହନ୍ତି ବରଂ ସକ୍ରିୟ ଭାଗିଦାର ହୋଇଛନ୍ତି। ଆମ ଓଡିଶାରେ ତୃଣମୂଳସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଞ୍ଚାୟତରାଜ ଅନୁଷ୍ଠାନ ମାନଙ୍କରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟକରି ଦକ୍ଷତା ପ୍ରମାଣିତ କରିଛନ୍ତି। ତେଣୁ, ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ମହିଳାମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ ହେବାକୁ ସହାୟକ ହେବ। ଆଗାମୀ ଦିନରେ ଏହି ଅଧିନିୟମ ମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ବ ଆହୁରି ବ୍ୟାପକ ହେବ। ଏହି ଅଧିନିୟମ ମହିଳା ବିକାଶ କ୍ଷେତ୍ରରେ ମୋଦୀଜୀଙ୍କ ପ୍ରତିବଦ୍ଧତାର ଉଦାହରଣ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ, ବିକଶିତ ଭାରତ ପାଇଁ ସମୃଦ୍ଧ ଓଡିଶା ଗଠନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଏହି ଯାତ୍ରାରେ ଓଡିଶାର ମା ଓ ଭଉଣୀମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ସହିତ ଆତ୍ମ ନିର୍ଭର କରିବା ପାଇଁ ଆମେ ଆରମ୍ଭ କରିଛୁ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା। ସୁଭଦ୍ରା ଠାରୁ ଆରମ୍ଭ କରି ଲକ୍ଷପତି ଦିଦି ପର୍ଯ୍ୟନ୍ତ ଏହି ଯାତ୍ରା ଓଡିଶାର ପ୍ରତିଟି ଘରେ ସମୃଦ୍ଧି ଆଣିବ।

ଉପସ୍ଥିତ ମାତୃଶକ୍ତିଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମ ସମାଜ, ରାଜ୍ୟ ତଥା ଦେଶରେ ମହିଳା ମାନେ ସବୁ କ୍ଷେତ୍ରରେ ଆଗକୁ ବଢିଲେଣି। ଉଦ୍ୟମ ଓ ଇଛାଶକ୍ତି ଥିଲେ ମହିଳା ମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ ବୋଲି ସେ କହିଥିଲେ। ସେ କହିଥିଲେ, ଗାଁର ସାଧାରଣ ମହିଳା ଯେତେବେଳେ ଡିଜିଟାଲ ବ୍ୟାଙ୍କିଙ୍ଗ ଓ ଆଧୁନିକ କୃଷି କରନ୍ତି, ସେତେବେଳେ ହିଁ ପ୍ରକୃତ ବିକାଶ ହୋଇଥାଏ। ସେଥିପାଇଁ ଆମର ଲକ୍ଷ୍ୟ ରହିଛି ଓଡିଶାର ପ୍ରତିଟି ମାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ତୋଳିବା।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିକଶିତ ରାଷ୍ଟ୍ର ଗୁଡିକରେ ମହିଳା ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଆର୍ଥିକ ଭାଗିଦାରୀ ଖୁବ୍ ଅଧିକ ରହିଛି। ତେଣୁ, ନାରୀ ଶକ୍ତିର ବିକାଶ ହେଉଛି ବିକାଶର ଏକ ମୁଖ୍ୟ ଆଧାର। ନାରୀ ଶକ୍ତିର ଉନ୍ନତି ପାଇଁ ଏବେ ସାରା ଭାରତ ଆଗେଇ ଆସିଛି। ଭାରତୀୟ ନାରୀ ଆଜି ସମସ୍ତ କ୍ଷେତ୍ରରେ ପ୍ରତିନିଧିତ୍ବ କରୁଛନ୍ତି। ଯୁଦ୍ଧ କ୍ଷେତ୍ରରେ ମଧ୍ୟ। ଅପରେସନ ସିନ୍ଦୁର ତା’ର ଜ୍ବଳନ୍ତ ପ୍ରମାଣ। ବର୍ତ୍ତମାନ ସମୟ ଆସିଛି, ବିଧାନସଭା ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ନାରୀ ଶକ୍ତିର ନେତୃତ୍ବକୁ ଆମକୁ ସ୍ବୀକାର କରିବାକୁ ପଡିବି। ଏଥିପାଇଁ ସମସ୍ତେ ଆଗେଇ ଆସି ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଅକୁଣ୍ଠ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଥିଲେ।

କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଥିଲେ ଯେ, ବିଧାନସଭା ଓ ସଂସଦରେ ମଧ୍ୟ ମହିଳା ପ୍ରତିନିଧିତ୍ବ ସମାନ ଭାବେ ପ୍ରତିଫଳିତ ହେବା ଉଚିତ୍। ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ସମ୍ମାନ ଦେଇ  ଏହି ଅଧିନିୟମକୁ ସମସ୍ତେ ସମର୍ଥନ କରିବା ଉଚିତ୍।

ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଥିଲେ ଯେ, ମହିଳାଙ୍କ ସମ୍ମାନ, ସମତା, ନେତୃତ୍ବ ଓ ସ୍ବାଭିମାନ ପାଇଁ ମହିଳା ମାନଙ୍କୁ ପାର୍ଲାମେଣ୍ଟରେ ବସିବାର ସୁଯୋଗ  ଦିଆଯିବାର ଆବଶ୍ୟକତା ରହିଛି। ଏହି ଅଧିନିୟମ ବଳରେ ବର୍ତ୍ତମାନ ପଞ୍ଚାୟତରୁ ପାର୍ଲାମେଣ୍ଟ ଯିବା ସହଜ ହେବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ହେଉ କିମ୍ବା ଖୁସି ସ୍କିମ୍ ହେଉ, ଏ ସବୁ ଯୋଜନା ମାଧ୍ୟମରେ ମା’ ଗର୍ଭରୁ ମହିଳା ସଶକ୍ତ କରଣର ଦାୟିତ୍ବ ପ୍ରଧାନମନ୍ତ୍ରୀ ନେଇଛନ୍ତି। ସେ କହିଥିଲେ ନାରୀ ଶକ୍ତି ବଦଳୁଥିବା ଭାରତର ନେତୃତ୍ବ ନେବା ପାଇଁ ଆଗେଇ ଆସୁଥିବା ବେଳେ ଓଡିଶା ହେଉଛି ନାରୀ ସଶକ୍ତିକରଣର ବେଷ୍ଟ ମଡେଲ। ତେଣୁ ଆମେ କେବଳ ମହିଳା ହିତାଧିକାରୀ ନୁହେଁ, ମହିଳା ଭାଗିଦାରୀ ଚାହୁଁଛୁ।

ବିଶିଷ୍ଟ ସାହିତ୍ୟିକା ତଥା ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ, ନାରୀ ଆବଶ୍ୟକସ୍ଥଳେ ଲକ୍ଷ୍ମୀ, ଦୁର୍ଗା ଅଥବା କାଳୀଙ୍କ ସ୍ବରୂପିଣୀ। ନାରୀ କେବେହେଲେ ଯୁଦ୍ଧା ଚାହେଁ ନାହିଁ, ନାରୀ ଚାହେଁ ଶାନ୍ତି। ତେଣୁ ପ୍ରତ୍ୟେକ ଗୃହରେ ଯଦି ନାରୀଶକ୍ତି ବନ୍ଦନ ହୁଏ, ତେବେ ପୃଥିବୀର ଭାଗ୍ୟ ବଦଳିଯିବ । ଓଡିଶାରେ ନାରୀ ଶକ୍ତିଙ୍କୁ ଉପଯୁକ୍ତ ସମ୍ମାନ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଉପସ୍ଥିତ ନାରୀ ଶକ୍ତିକୁ ନିଜ ଭିତରେ ଥିବା ଆତ୍ମ ଶକ୍ତିର ସନ୍ଧାନ କରି ତାର ବିକାଶ କରିବାକୁ ଆହ୍ବାନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଶିଷ୍ଟ କ୍ରୀଡାବିତ୍ ଶ୍ରୀମତୀ ଅନୁରାଧା ବିଶ୍ବାଳ, ଖ୍ୟାତନାମା ଓଡିଶୀ ନୃତ୍ବଶିଳ୍ପୀ ତଥା ଗୁରୁ ଡକ୍ଟର ଅରୁଣା ମହାନ୍ତି ପ୍ରମୁଖ ନାରୀ ସଶକ୍ତିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ଏହି ମହତ୍ତ୍ବକାଂକ୍ଷୀ ଅଧିନିୟମକୁ ଯୁଗୋପଯୋଗୀ ବୋଲି ଦର୍ଶାଇଥିଲେ।

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମୃଳାଳିନୀ ଦର୍ସ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.