ବେଳଝରୀରେ ଗଢ଼ିଉଠିବ ମା’ ତାରିଣୀଙ୍କ ନୂତନ ମନ୍ଦିର: ବିଧାୟକ ନରସିଂହ ଭତରାଙ୍କ ପ୍ରତିଶ୍ରୁତି, ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ

add-all

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝୋରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବେଳଝରୀ ଗ୍ରାମରେ ମା’ ତାରିଣୀଙ୍କ ପୀଠରେ ଚଳିତ ବର୍ଷ ‘ପଣା ସଂକ୍ରାନ୍ତି’ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ଝୋରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା ମା’ଙ୍କ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ଦୀର୍ଘଦିନର ଆଶାକୁ ପୂରଣ କରି ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଏହି ଘୋଷଣା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ପଣା ସଂକ୍ରାନ୍ତି ଅବସରରେ ଆୟୋଜିତ ତିନିଦିନିଆ ଉତ୍ସବର ଦ୍ୱିତୀୟ ଦିନରେ ବିଧାୟକ ଶ୍ରୀ ଭତରା ଯୋଗଦେଇ ମା’ ତାରିଣୀଙ୍କ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ ସମ୍ମୁଖରେ ନଡ଼ିଆ ଭାଙ୍ଗି ସେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଥିଲେ। ଏହି ଅବସରରେ ପୂଜା କମିଟି ଓ ଗ୍ରାମବାସୀମାନେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରିବା ସହ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ SECL ସଭାପତି ପ୍ରତାପ ଦୁରିଆ, ବିଜେପି ବରିଷ୍ଠ କର୍ମୀ ଡମ୍ବୁରୁ ଭତରା, ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ଖମାରୀ, ରାମକୃଷ୍ଣ ସାନ୍ତା, ପୂର୍ଣ୍ଣ ସାନ୍ତା, ଟିକେଶ୍ୱର ସ୍ୱାଇଁ, ଯଦୁନାଥ ଯାନୀ, ଦୁର୍ଜନ ଯାନୀଙ୍କ ସମେତ ଅନେକ ସ୍ଥାନୀୟ ନେତୃତ୍ୱ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ବେଳଝରୀ ଗ୍ରାମରେ ମା’ ତାରିଣୀଙ୍କ ପୂଜାର ଏକ ସ୍ୱତନ୍ତ୍ର ପାରମ୍ପରିକ ପୃଷ୍ଠଭୂମି ରହିଛି। ୨୦୦୨ ମସିହାରେ ଜବରସିଂ ଗୌଡ଼ ମା’ଙ୍କ ଦୀକ୍ଷା ଗ୍ରହଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ଯଦୁନାଥ ଖମାରୀ ମଧ୍ୟ ତାଙ୍କଠାରୁ ଦୀକ୍ଷା ନେଇ ଗ୍ରାମରେ ମା’ଙ୍କ ମହିମା ପ୍ରଚାର କରିଥିଲେ। ୨୦୧୧ ମସିହାରେ ଜବରସିଂ ନିଜସ୍ୱ ଖର୍ଚ୍ଚରେ ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ, ଯାହା ଆଜି ସମଗ୍ର ଅଞ୍ଚଳର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ପାଲଟିଛି।

ପ୍ରତିବର୍ଷ ଏହି ପୀଠରେ ଚୈତ୍ର ଯାତ୍ରା ଓ ପଣା ସଂକ୍ରାନ୍ତି ବଡ଼ ଉତ୍ସାହର ସହ ପାଳନ କରାଯାଏ। ବେଳଝରୀ ସମେତ ବଡ଼ନୀ, ମେରଦାନଗୁଡ଼ା, ସିର୍ମାଗୁଡ଼ା, ଦିଉଡୁଗୁଡ଼ା ଓ ଡୁମରପଦର ଭଳି ପଡ଼ୋଶୀ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ଚଳିତ ବର୍ଷ ଏହି ଉତ୍ସବରେ କଳାହାଣ୍ଡି, ନବରଙ୍ଗପୁର ଏବଂ ଛତିଶଗଡ଼ରୁ ମଧ୍ୟ ଅନେକ ଭକ୍ତ ଓ ୫ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ।
ଏପ୍ରିଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବର ପ୍ରଥମ ଦିନରେ କଳସ ଯାତ୍ରା ଓ ହୋମଯଜ୍ଞ, ଦ୍ୱିତୀୟ ଦିନରେ ମହାନାମ ଯଜ୍ଞ ଓ ଦେଶିଆ ନାଟକ ଏବଂ ତୃତୀୟ ଦିନରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅଞ୍ଚଳର ଦେବାଦେବୀ ନିଜନିଜ ପ୍ରତୀକ (ଲାଠି) ସହ ଏହି ଯାତ୍ରାରେ ସାମିଲ ହୋଇଥିଲେ।

ପୂଜା କମିଟି ସଭାପତି ବସନ୍ତ ପୂଜାରୀ, ସମ୍ପାଦକ ଚୈତନ୍ୟ ଖମାରୀଙ୍କ ସମେତ ଯଦୁନାଥ ଯାନୀ, ଦେବିସିଂ ଯାନୀ, ଦୁର୍ଜନ ଯାନୀ, ପୂର୍ଣ୍ଣ ସାନ୍ତା, ଅନାମୁ ହରିଜନ, ଡମ୍ବୁରୁ ଭତରା, ମହେନ୍ଦ୍ର ଗୌଡ଼, ଲଖି ପୂଜାରୀ ଓ ବଳିଭଦ୍ର ହରିଜନ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ମା’ଙ୍କର ଏକ ସ୍ଥାୟୀ ମନ୍ଦିର ନିର୍ମାଣ ହେଲେ ଏହା ଅଞ୍ଚଳର ଧାର୍ମିକ ବିକାଶରେ ସହାୟକ ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.