ବୀରମିତ୍ରପୁରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

add-all

ବୀରମିତ୍ରପୁର: ଆଜି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୀରମିତ୍ରପୁର ଟାଉନ ହଲ୍ ପରିସରରେ ଏକ ସାଧାରଣ ସଭା ଆୟୋଜନ କରାଯିବା ସହ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଏହା ସହିତ ଛାତ୍ର ନେତା ମହମ୍ମଦ ଏଯାଜ ଆଲମଙ୍କ ନେତୃତ୍ୱରେ ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସଭାରେ ବିଧାୟକ ଶ୍ରୀ ତିର୍କୀ ଉଦବୋଧନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ସମୟର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏଥିସହ ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ କିଭଳି ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରାଯାଇପାରିବ, ସେ ନେଇ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।

ରାଜ୍ୟର ବର୍ତ୍ତମାନର ସରକାରକୁ ସମାଲୋଚନା କରି ସେ କହିଥିଲେ ଯେ, “ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଥିଲେ ମଧ୍ୟ ବିକାଶର ଗତି ନିମ୍ନଗାମୀ ହେବାରେ ଲାଗିଛି। ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହେଉଛି ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି।”

ଉକ୍ତ କାର୍ଯ୍ୟକ୍ରମରେ ବୀରମିତ୍ରପୁର ମୁନିସିପାଲିଟି ଉପାଧ୍ୟକ୍ଷା ନିବେଦିତା ବାଗେ, କୁଆଁରମୁଣ୍ଡା ବ୍ଲକ ଉପାଧ୍ୟକ୍ଷା ସୁନିତା ଅହିର, ବିଧାୟକ ପ୍ରତିନିଧି ତଥା ପୂର୍ବତନ ନଗରପାଳ ଶଶି ସାଗର, ନଗର ସଭାପତି କୁନା ଦେଓ, ଛାତ୍ର ନେତା ମହମ୍ମଦ ଏଯାଜ ଆଲମ, କୁଆଁରମୁଣ୍ଡା ବିଧାୟକ ପ୍ରତିନିଧି ମହେଶ ସାହୁ, ନୂଆଗାଁ ବ୍ଲକ ସଭାପତି ପ୍ରକାଶ ସାହୁ ଓ ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିକାଶ ବରୱା, ଆବୁଦୁଲ ଖେଇରୁ, ୱାର୍ଡ କାଉନସିଲର ନିର୍ମଳା କୂଜୁର, ଜ୍ୟୋତି ଲାକ୍ରା, କମଲେଶ ସିଂ, ରୋହିତ ଦିପ, ମାନସ ନନ୍ଦ, ସାଜିଦ ଆଲମ, ପ୍ରମୋଦ ବୁଡ଼ା, ଶକିଲ ବୁଣଟି, ସାକିବ, ଜାନୁ, ପ୍ରଦୀପ ସାହୁଙ୍କ ସମେତ ବହୁ ସଂଖ୍ୟାରେ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜୁ ଯୁବ-ଛାତ୍ର-ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

nis-ad
Leave A Reply

Your email address will not be published.