
ମୟୂରଭଞ୍ଜ: ବନକର୍ମଚାରୀଙ୍କୁ ନିସ୍ତୁକ ମାଡ, ଭାଙ୍ଗିଲେ ଗାଡ଼ି । ଦନ୍ତାହାତୀ ଭାଙ୍ଗିଲା ଘର, ରାଗରେ ସ୍ଥାନୀୟ ଲୋକେ ହାତୀକୁ ଟ୍ରାକ କରୁଥିବା ବନବିଭାଗ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏହାସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଗାଁଲୋକ। ମୟୂରଭଞ୍ଜ ଡୁକୁରା ବନାଞ୍ଚଳ ଅଧିନ ବହଳଦା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଶିମିଳିପାଳରୁ ଏକ ଦନ୍ତାହାତୀ ଜନବସତି ମୁହାଁ ହୋଇଥିଲା । ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନବିଭାଗ ପ୍ରୟାସ ଜାରି ରଖିଥିଲା ବେଳେ ହାତୀଟି ବହଳଦା ଅଞ୍ଚଳରେ ପ୍ରବେଶ କରି କିଛି ଘର ଭାଙ୍ଗି ଦେଇଥିଲା । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ହାତୀ ଘଉଡାଇବାକୁ ଯାଇଥିବା ୭ଜଣ ବନକର୍ମଚାରୀଙ୍କୁ ଅଟକାଇ ନିସ୍ତୁକ ମାଡମାରିଥିଲେ । ଏହାସହ ବୋଲେରୋ ଗାଡିଟିକୁ ଭାଙ୍ଗିରୁଜି ଦେଇଛନ୍ତି । ପରେ ବାରିପଦାରୁ ଅଧିକ ବନକର୍ମଚାରୀ ଯାଇ ଫସିରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅପରାହ୍ନରୁ ହାତୀ ଜନବସତି ମୁହାଁ ହୋଇଥିବା ଖବର ବନବିଭାଗକୁ ଦିଆଯାଇଥିଲା ।
ସନ୍ଧ୍ୟାରେ ହାତୀ ଘର ଭାଙ୍ଗିବା ଆରମ୍ଭ କରିଥିଲେ ସୁଦ୍ଧା ବନବିଭାଗ ଅଞ୍ଚଳରେ ପହଞ୍ଚିନଥିଲେ । ତେବେ ରାତିରେ ବନବିଭାଗ ହାତୀ ଘଉଡାଇବାକୁ ପହଞ୍ଚିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ବନକର୍ମଚାରୀଙ୍କୁ ଅଟକ ରଖିଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଓ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହି ଆକ୍ରମଣରେ ଫରେଷ୍ଟର ଖଗେଶ୍ୱର ସେଠି, ଫରେଷ୍ଟ ଗାର୍ଡ ରାଇଧନ ସିଂ ଏବଂ ମହିଳା ଗାର୍ଡ ମାଳତୀ ମୁର୍ମୁଙ୍କ ସହିତ ଅନ୍ୟ ୪ ଜଣ ବନ କର୍ମଚାରୀ ଏହି ଆକ୍ରମଣରେ ଗୁରୁତର ହୋଇଛନ୍ତି ।
