
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ଓଡ଼ଗାଁ ସରକାରୀ ବସଷ୍ଟାଣ୍ଡ ପୂର୍ବ ପାର୍ଶ୍ଵରେ ପ୍ରାଚୀର ନିର୍ମାଣକୁ ବିରୋଧ ଘଟଣାର ଅବସାନ ଘଟିଛି।ଡବଲ ବୁଲଡୋଜର ଦ୍ଵାରା ସରକାରୀ ଜମିରେ ନିର୍ମିତ କୋଠାକୁ ଭାଙ୍ଗି ଦିଆଯାଇଛି।ଏବେ ଏକା ସାଙ୍ଗରେ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣ ସହିତ ଖଜୁରିଆକୁ ଓସାରିଆ ରାସ୍ତା ନିର୍ମାଣ ହେବ ।ସୂଚନା ଅନୁଯାୟୀ ଓଡାଗାଁ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣ ବେଳେ ଓଡ଼ଗାଁ – ଭଞ୍ଜନଗର ଯାଇଥିବା ୨୧ ନମ୍ବର ରାଜ୍ୟ ରାଜପଥର ଓଡ଼ଗାଁ ପ୍ରାଣୀ ଚିକିତ୍ସାଳୟ ଠାରୁ ଖଜୁରିଆକୁ ଯାଇଥିବା ପୁରୁଣା ରାସ୍ତା ଏହି ବସଷ୍ଟାଣ୍ଡ ନିର୍ମାଣରେ ବିଲୟ ହୋଇଯିବା କାରଣରୁ ରାସ୍ତାଟି ଅଣଓସାରିଆ ହେବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।ଓସାରିଆ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବି କରିଥିଲେ ।ପ୍ରାଚୀର ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ଯୋଗୁଁ ଓଡିଶା ରାଜ୍ୟ ପରିବହନ ନିଗମର ଆର୍ଥିକ ପରାମର୍ଶଦାତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସି ଓଡ଼ଗାଁ ଏନଏସି ଅଧିକାରୀ ଓ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ। ଗତ ୮ ତାରିଖରେ ବିବାଦୀୟ ରାସ୍ତା ଓ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣ ନିମନ୍ତେ ଉକ୍ତ ସ୍ଥାନର ମାପଚୁପ କରାଯାଇଥିଲା ।ମାପଚୁପ ପରେ ରୁକୁଣା ମଣ୍ଡଳ, ସ୍ବାମୀ ପ୍ରଫୁଲ୍ଲ ମଣ୍ଡଳଙ୍କ ନିର୍ମିତ କୋଠଘରଟିର ଅର୍ଦ୍ଧାଧିକ ଭାଗ ସରକାରୀ ଜମି ଉପରେ ଥିବା ଜଣାପଡିଥିଲା ।ଜମିର ସ୍ଥିତି ଜଣାପଡିବା ପରେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ପବିତ୍ର ମୋହନ ସେଠୀ, ଓଡ଼ଗାଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ରାଜସ୍ୱ ସୁପରଭାଇଜର ସୁବାସ ଚନ୍ଦ୍ର ମିଶ୍ରଙ୍କ ସହିତ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇଟି ବୁଲଡୋଜର( ଜେସିବି) ସାହାଯ୍ୟରେ ସରକାରୀ ଜମିରେ ନିର୍ମିତ ଘରକୁ ଭାଙ୍ଗି ରାସ୍ତା ସମତୁଲ କାର୍ଯ୍ୟ କରାଯାଇଛି ।ଅନ୍ୟ ପକ୍ଷରେ ଏହି ବେଆଇନ ନିର୍ମାଣ ଘରେ ରହୁଥିବା ରୁକୁଣା ମଣ୍ଡଳ ଏବେ ଘର ନଭାଙ୍ଗି ଆଉ କିଛି ସମୟ ମାଗିଥିଲେ ମଧ୍ୟ ତାଙ୍କର ଦରଖାସ୍ତ କୁ ପ୍ରଶାସନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି।
