
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଞ୍ଚାୟତର ଜଡ଼ାପାରା କଲୋନୀରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ପଡୋଶୀ ଘରର ଏକ ମାଟି କାନ୍ଥ ହଠାତ୍ ଭୁଶୁଡି ପଡିବାରୁ ଏକେ ପରିବାରର ବାପା ଓ ତାଙ୍କର ଦୁଇ ନାବାଳକ ପୁଅ ମାଟି ତଳେ ଚାପି ହୋଇଯାଇଥିଲେ। ଏହି କରୁଣ ଅଘଟଣରେ ୩ ବର୍ଷର ଶିଶୁ ବିଜୟ ରାଉତଙ୍କର ପ୍ରାଣହାନି ଘଟିଥିବା ବେଳେ, ବାପା କୁଡି ରାଉତ ଓ ୫ ବର୍ଷର ପୁଅ ଅଜୟ ରାଉତ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ କୁଡି ରାଉତ ତାଙ୍କର ଦୁଇ ପୁଅଙ୍କୁ ଧରି ପଡୋଶୀ ଘର ପାଖରେ ଥିବା ଏକ ଗଛ ଛାଇରେ ବସିଥିଲେ। ସେହି ଗଛଟି ଏକ ପୁରୁଣା ମାଟି କାନ୍ଥ ନିକଟରେ ଥିଲା। ସେମାନେ କାନ୍ଥକୁ ଆଉଜି ବସିଥିବା ସମୟରେ ଅପ୍ରତ୍ୟାଶିତ ଭାବେ କାନ୍ଥଟି ସେମାନଙ୍କ ଉପରେ ଭୁଶୁଡି ପଡିଥିଲା। ନିମିଷକ ମଧ୍ୟରେ ତିନିଜଣ ଯାକ ମାଟି ଗଦା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଓ ସେମାନଙ୍କୁ ମାଟି ତଳୁ ବାହାର କରିଥିଲେ।
ସମସ୍ତଙ୍କୁ ପ୍ରଥମେ ହାଟଭାରଣ୍ଡି ଚିକିତ୍ସାଳୟକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ୩ ବର୍ଷର ଶିଶୁ ବିଜୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ କୁଡି ରାଉତ (୪୫) ଓ ଶିଶୁ ପୁତ୍ର ଅଜୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପରୀକ୍ଷା ପରେ ଉଭୟଙ୍କ ଡାହାଣ ଗୋଡ଼ ଭାଙ୍ଗିଥିବା ଜଣାପଡିଥିଲା। ଅବସ୍ଥା ଅଧିକ ଜଟିଳ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ତେବେ ଏହି ଦରିଦ୍ର ପରିବାର ପାଇଁ ଅର୍ଥ ଅଭାବ ସବୁଠାରୁ ବଡ଼ ବାଧା ସାଜିଛି। କୁଡି ରାଉତ ଜଣେ ଦିନ ମଜୁରୀଆ ଶ୍ରମିକ ହୋଇଥିବାରୁ କୋରାପୁଟ ଯାଇ ଚିକିତ୍ସିତ ହେବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ। ଫଳରେ ବାଧ୍ୟ ହୋଇ ସେମାନେ ଡାକ୍ତରଖାନାରୁ ଘରକୁ ଫେରି ଆସିଛନ୍ତି। ବର୍ତ୍ତମାନ ଗୁରୁତର ଆହତ ଅଜୟ ଘରେ ରହି ଦେଶୀ ଔଷଧ ଓ ପ୍ରାକୃତିକ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ପରିବାର ଲୋକେ କୋହଭରା କଣ୍ଠରେ କହିଛନ୍ତି, “ଯଦି ଆମ ପାଖରେ ଟଙ୍କା ଥାନ୍ତା, ତେବେ ଆମ ପୁଅର ଭଲ ଚିକିତ୍ସା ହୋଇପାରିଥାନ୍ତା।”
ଏହି ଦୁଃଖଦ ଘଟଣା ପରେ ସମଗ୍ର ଜଡ଼ାପାରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ରାଇଘର ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସହାୟତା କିମ୍ବା ତତ୍ପରତା ପ୍ରକାଶ ନ ପାଇବା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। “ଗରିବର ଦୁଃଖ ବୁଝିବାକୁ କେହି ନାହାନ୍ତି” ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ଆହତ ବାପା ଓ ପୁଅଙ୍କୁ ସରକାରୀ ଖର୍ଚ୍ଚରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଦୃଢ ଦାବି ହୋଇଛି।
