
ବ୍ରହ୍ମପୁର,୧୮/୫: ରବିବାର ମଧ୍ୟରାତ୍ରିରେ ବଡ଼ବଜାର ଥାନା ପୁଲିସ ଫାଷ୍ଟଗେଟ ଓମ୍ନଗର ଅଂଚଳରେ ପେଟ୍ରୋଲିଂ କରିବା ବେଳେ ଜାତୀୟ ରାଜପଥ ସ୍ଥିତ ନବନିର୍ମିତ କଲ୍ୟାଣ ମଣ୍ଡପ ନିକଟରେ ଡ଼କାୟତି ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୁଲିସ । ୫ଜଣ ଡ଼କାୟତକୁ କାବୁ କରିଛି । ସେମାନଙ୍କନିକଟରୁ ୨ ଖଣ୍ଡା, ଗୋଟିଏ ଲୁହାଛଡ଼, ଗୋଟିଏ ଲୁହା ପଲସ୍, ୨ଟି ହାତ ତିଆରି ବୋମା,୨ଟି ବଜାଜ ପଲସର ମୋଟର ସାଇକେଲ, ଲଙ୍କା ଗୁଣ୍ଡ ଆଦି ଜବତ କରିଛି ପୁଲିସ ।
ଏହି ସଂକ୍ରାନ୍ତରେ ପୁଲିସ ରୁଦ୍ର ନାରାୟଣ ଗୌଡ଼,ଆକାଶ ଭୂୟାଁ,ଲକ୍ଷ୍ମଣ ଘଡ଼େଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୨ଜଣ ନାବାଳକକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି । ଅପରାଧୀମାନେ ପେଶାଦାର ଅପରାଧୀ ହୋଇଥିବା ବେଳେ ସେମାନଙ୍କ ନାମରେ ବ୍ରହ୍ମପୁର ଏବଂ ଗଞ୍ଜାମ ପୁଲିସ ଜିଲ୍ଲାରେ ଏକାଧିକ ଡ଼କାୟତି, ରାହାଜାନି, ଚୋରି ପରି ବିଭିନ୍ନ ମାମଲା ରହିଛି ।
