ବ୍ରହ୍ମପୁର ଶାନ୍ତିକୁଣ୍ଡ ବ୍ରହ୍ମାକୁମାରୀ ସେବାକେନ୍ଦ୍ରର ୪୮ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

add-all

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମପୁର ଶାନ୍ତିକୁଣ୍ଡ ସେବାକେନ୍ଦ୍ର ପକ୍ଷରୁ ୪୮ତମ ସ୍ୱନକ୍ଷତ୍ର ଉତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ “ଆଧ୍ୟାତ୍ମିକ ଜାଗରଣ ଦ୍ୱାରା ବିଶ୍ୱ ନବନିର୍ମାଣ” ଶୀର୍ଷକ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀସ୍ ସବ୍-ଜୋନ୍ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ମାଳା ଦିଦି ଯୋଗଦେଇ ୪୮ତମ ସ୍ୱନକ୍ଷତ୍ର ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସାମ୍ପ୍ରତିକ ସମାଜରେ ଦେଖାଦେଇଥିବା ଚାରିତ୍ରିକ ସଙ୍କଟକୁ ଦୂର କରିବାରେ ଆଧ୍ୟାତ୍ମିକତା ଓ ସକାରାତ୍ମକ ଚିନ୍ତାଧାରାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ନକାରାତ୍ମକ ଚିନ୍ତା ପରିତ୍ୟାଗ କରି ସକାରାତ୍ମକତା ଆପଣାଇଲେ ହିଁ ସମାଜରୁ ଦୁଃଖକଷ୍ଟ ନିବାରଣ ହୋଇପାରିବ ଏବଂ ବିଶ୍ୱ ନବନିର୍ମାଣ ପଥ ପ୍ରଶସ୍ତ ହେବ।

ବ୍ରହ୍ମାକୁମାରୀ ପ୍ରଭାତି ଶାନ୍ତିକୁଣ୍ଡ ସେବାକେନ୍ଦ୍ରର ୪୮ ବର୍ଷର ସେବା ଯାତ୍ରା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସହ ଜୀବନର ପ୍ରତ୍ୟେକ ଘଟଣାକୁ କଲ୍ୟାଣକାରୀ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଆତ୍ମାରେ ଦିବ୍ୟ ଗୁଣ ଓ ଶକ୍ତିର ଜାଗରଣ ହିଁ ପ୍ରକୃତ ଆଧ୍ୟାତ୍ମିକତା ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାକୁମାରୀ ସୁଜାତା ପରମାତ୍ମାଙ୍କ ଯଥାର୍ଥ ପରିଚୟ ପ୍ରଦାନ କରିଥିବା ବେଳେ ବ୍ରହ୍ମାକୁମାରୀ କସ୍ତୁରୀ ରାଜଯୋଗ ଅଭ୍ୟାସ ମାଧ୍ୟମରେ ପବିତ୍ରତା ଓ ଶାନ୍ତିର ଅନୁଭୂତି କରାଇଥିଲେ। ବ୍ରହ୍ମାକୁମାରୀ ଅର୍ଚ୍ଚନା ବିଶ୍ୱବିଦ୍ୟାଳୟର ପରିଚୟ ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଏହି ସମାରୋହରେ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଅଜିତ କୁମାର ମହାପାତ୍ର ଏବଂ ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ପ୍ରବନ୍ଧକ ପ୍ରଫୁଲ୍ଲ ଦାଶ ଯୋଗଦେଇ ବ୍ରହ୍ମାକୁମାରୀ ସଂସ୍ଥାର ଏହି ଉଚ୍ଚକୋଟୀର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। କାମ, କ୍ରୋଧାଦି ପାଞ୍ଚ ବିକାରକୁ ତ୍ୟାଗ କରି ଜଣେ ଜଣେ ଆଧ୍ୟାତ୍ମିକ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ହେବା ପାଇଁ ସେମାନେ ପ୍ରେରଣା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ, ମଠ, ମନ୍ଦିରର ଟ୍ରଷ୍ଟି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.