
ନୟାଗଡ : ପୋଲିସ ଚଢ଼ାଉ ବା ଯାଞ୍ଚରୁ ବର୍ତ୍ତିବାକୁ ମାଫିଆ ମାନେ ନାନା କୌଶଳ ଅପଣାଉଛନ୍ତି।ଚୋରା କାରବାର କିପରି ସୁରୁଖୁରୁରେ ଚାଲିବ, ଚୋରା ମାଲ ଗୁଡ଼ିକ କିପରି ଠିକଣା ସ୍ଥାନରେ ପହଞ୍ଚିବ ସେଥିପାଇଁ ମାଫିଆ ମାନେ ଯୁବପିଢିଙ୍କୁ ଢାଲ କରି ରଖିଛନ୍ତି ।ଚୋରା ଚାଲାଣ ଗାଡ଼ି ଆଗରେ ଏସ୍କର୍ଟ କରି ବାଇକ୍ କିମ୍ବା ଚାରିଚକିଆ ଯାନରେ ଆସିବା ସହିତ ସମ୍ପୂର୍ଣ୍ଣ ରାସ୍ତାର ରିପୋର୍ଟ ପ୍ରଦାନ କରୁଛନ୍ତି । ଫଳରେ ଗାଡ଼ି ଗୁଡ଼ିକ ସୁରକ୍ଷିତ ଭାବରେ ଠିକଣା ସ୍ଥାନରେ ପହଞ୍ଚି ପାରୁଛନ୍ତି।
ଜିଲ୍ଲାରେ ଚୋରା ଖଣିଜ ହେଉ କିମ୍ବା ଅନ୍ୟସ୍ଥାନରୁ ଆସୁଥିବା ଗଞ୍ଜେଇ, ଭାଙ୍ଗ ଓ ଗୋରୁ ବୋଝେଇ ଟ୍ରକ ଆଗରେ କିଛି ଯୁବକ ଦାମୀ କାର ଓ ବାଇକରେ ଯାଉଥିବାର ଦେଖିବାକୁ ମିଳୁଛି ।ଓଡ଼ଗାଁ ଥାନା ଅନ୍ତର୍ଗତ ଚୋରା ଖଣିଜକୁ ନେଇ ହୋଇଥିବା ହତ୍ୟାକାଣ୍ଡରେ ଯେପରି ହତ୍ୟାକାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ମାରଣାସ୍ତ୍ର ସହ ପହଞ୍ଚି ଅଜିତ ସାହୁଙ୍କୁ ହତ୍ୟା କଲେ , ଏହା ପ୍ରମାଣ କରୁଛି ଯେ ଅପରାଧୀ ମାନେ ପୂର୍ବ ପ୍ରସ୍ତୁତ ହୋଇ ରହୁଛନ୍ତି। ପୂର୍ବରୁ ଇଟାମାଟି ଥାନା ପୋଲିସ ଏକ ପିକଅପ୍ ଭ୍ୟାନରୁ ବିପୁଳ ପରିମାଣରେ ଭାଙ୍ଗ ଜବତ କରିଥିବା ବେଳେ ଏହାକୁ ଏସ୍କର୍ଟ୍ କରି ଯାଉଥିବା ଯୁବକ ମାନଙ୍କୁ ଗିରଫ କରାଯାଇଛି ।ବିଶେଷ କରି ଗୋରୁ ବୋଝେଇ ଗାଡ଼ି ଗୁଡିକରେ ଅଧିକ ସଂଖ୍ୟକ ଯୁବକଙ୍କୁ ବ୍ୟବହାର କରାଯାଉଛି ।ସେମାନେ ଚୋରା ଚାଲାଣ ଗାଡ଼ି ଆଗରେ ଆସିବା ସହିତ କୌଣସି ସ୍ଥାନରେ ପୋଲିସର ବ୍ଲକିଂ କିମ୍ବା ଚେକିଂ ହେଉଥିବାର ଦେଖିଲେ ତୁରନ୍ତ ମାଫିଆ ମାନଙ୍କୁ ଯୋଗାଯୋଗ କରୁଛନ୍ତି।ଫଳରେ ଗାଡ଼ି ଗୁଡିକୁ ଅଧା ବାଟରେ ରଖାଯାଏ କିମ୍ବା ସେଠାରୁ ଖସି ପଳାଇଯିବାକୁ ବାଟ ଖୋଜାଯାଏ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ କିଛି ଯୁବପିଢି କେବଳ ନିଶା ପାଇଁ ଏହି ଅପରାଧିକ ପଥକୁ ଅପଣାଉଛନ୍ତି।ନିଶା ଓ ଚାଲିବା ପାଇଁ କିଛି ଟଙ୍କା ଦେଇ ମାଫିଆ ମାନେ ଏହି ଯୁବପିଢିଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସାମିଲ କରୁଛନ୍ତି ।ଆଉ କେତେକ ମାଫିଆ ଗାଡ଼ି ସୁବିଧାରେ ପାସ କରିବା ପାଇଁ କମିଶନ ବ୍ୟବସ୍ଥା କରିଛନ୍ତି ।ବିଶେଷ କରି ଖଣିରୁ ଯେତେ ପଥର ବୋଝେଇ ଗାଡ଼ି ସୁରକ୍ଷିତ ଭାବରେ ଠିକଣା ସ୍ଥଳରେ ପହଞ୍ଚିବ ସେହି ଅନୁସାରେ ସୁରକ୍ଷା ଦାୟିତ୍ୱରେ ଥିବା ଯୁବକ ମାନେ ଟଙ୍କା ପାଇଥାନ୍ତି । ଟଙ୍କା ଲୋଭରେ ଯୁବପିଢି ଗାଡ଼ି ଗୁଡ଼ିକୁ ସୁରକ୍ଷିତ ଭାବରେ ଠିକଣା ସ୍ଥଳରେ ପହଞ୍ଚାଇବା ପାଇଁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହନ୍ତି । ମାଫିଆ ମାନେ ଖଣି ବିଭାଗ ଓ ସ୍ଥାନୀୟ ପୋଲିସର କିଛି ଅସାଧୁ କର୍ମଚାରୀଙ୍କ ସହିତ ସମ୍ପର୍କ ରକ୍ଷାକରି ନିଜର କାରବାର ଚଳାଉଛନ୍ତି।ଏହି ବ୍ୟବସ୍ଥାରେ ବ୍ୟାପକ ପଦକ୍ଷେପ ନିଆନଗଲେ ଯୁବକ ମାନେ ପଥଭ୍ରଷ୍ଟ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଯିବା ଆଶଙ୍କା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
