
ହିଞ୍ଜିଳିକାଟୁ : ଗରିବ, ବୃଦ୍ଧ ଓ ଭିନ୍ନକ୍ଷମଙ୍କ ଭତ୍ତା ପାଇଁ ଆସିଥିବା ସରକାରୀ ଅର୍ଥରେ ବଡ଼ ଧରଣର ହେରଫେର ଅଭିଯୋଗ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ଭତ୍ତା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ପାଣ୍ଠିରୁ ପ୍ରାୟ ୧୨ ଲକ୍ଷ ୩୦ ହଜାର ଟଙ୍କା ହେରଫେର ହୋଇଥିବା ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ତ୍ରିଲୋଚନ ନାୟକଙ୍କୁ ପୁଲିସ ଗିରଫ କରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
ସୂଚନା ଅନୁସାରେ, ଗତ ତିନି ମାସ ଧରି ଅନେକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ନିୟମିତ ଭତ୍ତା ପାଇନଥିଲେ। ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ପରେ ଅଭିଯୋଗର ତଦନ୍ତ ଆରମ୍ଭ ହେବା ସହ ଭତ୍ତା ପାଣ୍ଠି ଓ ବିକାଶ କାର୍ଯ୍ୟ ପାଇଁ ଆସିଥିବା ଅର୍ଥରେ ଅନିୟମିତତାର ସୂତ୍ର ମିଳିଥିଲା।

ଏହି ଘଟଣାକୁ ନେଇ ହିଞ୍ଜିଳିକାଟୁ ବିଡିଓ ସାଗରିକା ଷଡ଼ଙ୍ଗୀ ଗତ ୨୭ ତାରିଖରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ହିଞ୍ଜିଳି ଥାନାରେ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସଂଗୃହୀତ ପ୍ରମାଣ ଆଧାରରେ ମଙ୍ଗଳବାର ପୁଲିସ ଦାରୁଭଦ୍ରା ପଞ୍ଚାୟତର ପିଇଓ ତ୍ରିଲୋଚନ ନାୟକ (୨୮)ଙ୍କୁ ବ୍ଲକ କାର୍ଯ୍ୟାଳୟ ପରିସରରୁ ଗିରଫ କରିଥିଲା।
ଗିରଫ ପରେ ପୁଲିସ ସୋମପୁର ଗ୍ରାମରେ ଥିବା ତାଙ୍କ ଭଡ଼ା ବାସଗୃହରେ ଚଢ଼ାଉ କରି ବ୍ୟାଙ୍କ ପାସ୍ବୁକ୍, ଆର୍ଥିକ କାରବାର ସମ୍ପର୍କିତ ଦଲିଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଜବତ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।
ଅନ୍ୟପଟେ, ପ୍ରାଥମିକ ତଦନ୍ତରେ ୧୨.୩୦ ଲକ୍ଷ ଟଙ୍କା ହେରଫେର ସ୍ପଷ୍ଟ ହୋଇଥିଲେ ମଧ୍ୟ ପ୍ରକୃତ ଅର୍ଥର ପରିମାଣ ଏହାଠାରୁ ଅଧିକ ହୋଇପାରେ ବୋଲି ବିଡିଓ ସାଗରିକା ଷଡ଼ଙ୍ଗୀ ସନ୍ଦେହ ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ଆର୍ଥିକ କାରବାରର ଯାଞ୍ଚ ପାଇଁ ସ୍ପେଶାଲ ଅଡିଟ ନିର୍ଦେଶ ହୋଇ ଥିବାରୁ ଆଗାମୀ ଦିନରେ ଆହୁରି ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଲୋଚନା ହେଉଛି।
ଘଟଣାର ଗୁରୁତ୍ୱକୁ ଦେଖି ଅଭିଯୁକ୍ତ ପିଇଓ ତ୍ରିଲୋଚନ ନାୟକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଚାକିରି ରୁ ନିଲମ୍ବିତ କରାଯାଇଥିବା ବିଡିଓ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ପଞ୍ଚାୟତ ସ୍ତରରେ ସରକାରୀ ପାଣ୍ଠିର ସ୍ୱଚ୍ଛତା ନେଇ ପୁଣିଥରେ ପ୍ରଶ୍ନ ଉଠିଛି।ଦାରୁଭଦ୍ରା ପଞ୍ଚାୟତର ଏହି ଘଟଣା ଗରିବ ହିତାଧିକାରୀଙ୍କ ଅଧିକାର ସହ ଖେଳ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତଦନ୍ତ ଶେଷ ପରେ ପ୍ରକୃତ ଘୋଟାଲାର ପରିମାଣ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।
