ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଜଗମୋନୀଙ୍କ ଘର, ୮ ପ୍ରାଣୀ କୁଟୁମ୍ବ ଏବେ ନିରାଶ୍ରୟ

add-all

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡ଼ା ପଞ୍ଚାୟତରେ ଏକ ଦୁଃଖଦାୟକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ଅସହାୟ ଗରିବ ପରିବାର ନିଜର ସର୍ବସ୍ୱ ହରାଇ ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ଚୁଲି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ସୁନାବେଡ଼ା ଗ୍ରାମର ୬ ନମ୍ବର ୱାର୍ଡରେ ବସବାସ କରୁଥିବା ଜଗମୋନୀ ହରିଜନଙ୍କ ପରିବାର ସୋମବାର ରାତିରେ ଖାଇପିଇ ସାରି ଘର ବାହାରେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ ହଠାତ୍ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀମାନେ ପରିବାର ଲୋକଙ୍କୁ ଉଠାଇଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଗ୍ରାମବାସୀମାନେ ଏକତ୍ରିତ ହୋଇ ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଘର ସମେତ ସମସ୍ତ ଆସବାବପତ୍ର, ଲୁଗାପଟା, ବାସନକୁସନ ଓ ଘରୋଇ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା।

ଏହି ଅଭାବନୀୟ ଘଟଣା ପରେ ଜଗମୋନୀଙ୍କ ୮ ସଦସ୍ୟ ବିଶିଷ୍ଟ ପରିବାର ଗଭୀର ସଙ୍କଟରେ ପଡ଼ିଛନ୍ତି। ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ପୁଅ ଓ ୨ ଝିଅ ରହିଛନ୍ତି। ବର୍ତ୍ତମାନ ସେମାନେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା ବେଳେ, ଆଗକୁ ବର୍ଷା ଋତୁ ଆସୁଥିବାରୁ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନଟିଏ ନଥିବା ଚିନ୍ତାର ବିଷୟ ପାଲଟିଛି।

ଜଗମୋନୀଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ। ସରକାରୀ ସହାୟତା ଭାବେ କେବଳ ପିଡିଏସ ଚାଉଳ ମିଳୁଥିବା ବେଳେ, ତାଙ୍କ ସ୍ୱାମୀ ଜଣେ ମହୁରୀଆ ଭାବେ କାମ କରି ଅତି କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି। ଏପରି ସ୍ଥିତିରେ ସର୍ବସ୍ୱ ହରାଇବା ପରେ ସେମାନେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ୱାର୍ଡବାସୀ ଓ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ବିପନ୍ନ ପରିବାରକୁ ଜରୁରୀକାଳୀନ ରିଲିଫ୍ ସହାୟତା ପ୍ରଦାନ ସହିତ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ଏକ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

(ଉମରକୋଟରୁ ରସିକ ସରକାରଙ୍କ ରିପୋର୍ଟ)

ad-week
Leave A Reply

Your email address will not be published.