ଗୁରୁ ଏସ୍ ପି ମାଙ୍ଗାଇ ଗମାଙ୍ଗଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

add-all

ଗୁଣୁପୁର: ସ୍ୱର୍ଗତ ଗୁରୁ ଏସ୍ ପି ମାଙ୍ଗାଇ ଗମାଙ୍ଗଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୬ ତାରିଖ (ମଙ୍ଗଳବାର) ଦିନ ସଙ୍ଘର ସଭାପତି ଶ୍ରୀ ଚକ୍ରପାଣି ଶବରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ସମ୍ପନ୍ନ ହୋଇଛି। ଏଥିରେ ସଙ୍ଘର କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଏବଂ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

ଏହି ବୈଠକରେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜୟନ୍ତୀ ଉତ୍ସବକୁ ସଫଳ କରିବା ପାଇଁ ସେ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଚଳିତ ବର୍ଷ ଗୁରୁ ମାଙ୍ଗାଇ ଗମାଙ୍ଗଙ୍କ ଜନ୍ମ ଜୟନ୍ତୀ ଉତ୍ସବକୁ ଗୁଣୁପୁର ସ୍ଥିତ ଶବର ସାଂସ୍କୃତିକ ସଙ୍ଘ ପଡ଼ିଆରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଦିବାସୀ ମଙ୍ଗଳ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକଙ୍କୁ ନିମନ୍ତ୍ରଣ କରାଯିବ। ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ, ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ, ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ଅବସରପ୍ରାପ୍ତ ଅର୍ଥ ଉପଦେଷ୍ଟା ଶ୍ରୀ ଲାବଣ୍ୟ ଶବର ଏବଂ ଗୁରୁଙ୍କ କନିଷ୍ଠ ପୁତ୍ରବଧୂ ଶ୍ରୀମତୀ ହାରାବତୀ ଗମାଙ୍ଗଙ୍କୁ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯିବା ପାଇଁ ସ୍ଥିର ହୋଇଛି।
ଅତିଥିମାନଙ୍କ ସହ ଯୋଗାଯୋଗ ପାଇଁ ଶ୍ରୀ ବିଦ୍ୟାଧର ଶବର, ଚକ୍ରପାଣି ଶବର ଓ ବଳରାମ ଶବରଙ୍କୁ ଦାୟିତ୍ୱ ଦିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମୋହନ ଶବର ଓ ଫାଲଗୁନୀ ଶବରଙ୍କୁ ମନୋନୀତ କରାଯାଇଛି। ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଏକତ୍ରିତ କରିବା ପାଇଁ ନିମ୍ନଲିଖିତ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି:

  • ଗୁଡାରୀ: କେଶବ ଶବର, ପଦ୍ମନ ଶବର ଓ ସୀମାଞ୍ଚଳ ଗମାଙ୍ଗ।
  • ଟିଟିମିରି ଓ ଘଣାନ୍ତ୍ରୀ: ପ୍ରେମ ଶବର, ୟୁମ୍ପିଙ୍ ଶବର ଓ ରତ୍ନାକର ଶବର।
  • ହାର୍ଷିଙ୍ଗୁଡା, କୁକୁରଗୁଡା ଓ ଆମ୍ବଗୁଡା: ଗୋପାଳ ଶବର।
  • ରାମନଗୁଡା, ଆଲମ୍ ଗୁଡା ଓ କୁଜେନ୍ଦ୍ରୀ: ରମେଶ ଶବର, ରାମଚନ୍ଦ୍ର ଗମାଙ୍ଗ, ଜଗା ରାଓ ବିଡିକା ଓ ବିଶୁବ୍ରମ୍।
  • ମାରିଗୁଡା, ଲଖଣଗୁଡା ଓ ଡକାଶିକୁଲା: ଚକ୍ରପାଣି ଶବର ଓ ଖତୁ ଶବର।
  • ଡମ୍ବସରା, ବାଘଶଳା ଓ ସିରାଂପୁର୍: ଆର.ସି. ଶବର, ସନ୍ୟାସୀ ଶବର ଓ ପୂର୍ଣ୍ଣଚନ୍ଦ୍ର ଶବର।

ବୈଠକରେ ଉତ୍ସବର ଆୟ-ବ୍ୟୟ ଅଟକଳ ଏବଂ ସଙ୍ଘର ପାଣ୍ଠି ସୁଦୃଢ଼ କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ପରିଶେଷରେ ସାମ୍ବାଦିକ ଶ୍ରୀ ପୂର୍ଣ୍ଣ ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।

ad-week
Leave A Reply

Your email address will not be published.