
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରୁମ ବାଙ୍କତରା ନବବଧୂ ଶୁଭଶ୍ରୀ ମହାପାତ୍ର (୨୨)ଙ୍କ ହତ୍ୟାକାରୀ ସ୍ବାମୀ ଦୀପକ କୁମାର ମହାପାତ୍ରଙ୍କୁ ଓଡ଼ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ଦୀପକକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ନିଜ ସ୍ତ୍ରୀ ସହିତ ବାପା ଏବଂ ଭାଇର ସମ୍ପର୍କକୁ ଅନୈତିକ ସମ୍ପର୍କ ଭାବରେ ସନ୍ଦେହ କରିବା ଏବଂ ପରବର୍ତ୍ତୀ ସମୟରେ ସନ୍ଦେହକୁ ସତ ଭାବି ସ୍ତ୍ରୀକୁ ହତ୍ୟା କରିବା ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ସନ୍ଦେହ କିପରି ମଣିଷକୁ ପଶୁ ସ୍ତରକୁ ନେଇପାରେ ତାହା ଶୁଭଶ୍ରୀ ହତ୍ୟାକାଣ୍ଡରୁ ସ୍ପଷ୍ଟ ଜଣାପଡ଼ୁଛି ।
ବିବାହର ୨ମାସ ୧୫ ଦିନ ନ ପୁରୁଣୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ଚରମ ସୀମାରେ ପହଞ୍ଚିବା ଶୁଭଶ୍ରୀ ହତ୍ୟାର ପରିଣାମ ।ଏତେ କମ୍ ସମୟ ମଧ୍ୟରେ ସ୍ୱାମୀର ଏଭଳି ସନ୍ଦେହକୁ କେହିବି ଗ୍ରହଣ କରିପାରୁ ନାହାନ୍ତି ।ଘରେ ସିସିଟିଭି ଲାଗିଲା ପରେ ବି ଦୀପକ ସନ୍ଦେହ ମୁକ୍ତ ହୋଇ ନପାରି ଏହାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ସ୍ତ୍ରୀ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ଦୀପକ କହୁଥିବା ବେଳେ ଶୁଭଶ୍ରୀର ମୃତ ଶରୀର ଏବଂ ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ତାକୁ ହତ୍ୟା କରାଯାଇ ଫ୍ୟାନରେ ଟଙ୍ଗା ଯାଇଥବା ପୋଲିସ ତଦନ୍ତରୁ ଜଣାପଡ଼ିଛି।ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ସମସ୍ତ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଓଡ଼ଗାଁ ପୋଲିସ ସୂଚନା ଦେଇଛି।
