
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୯ ଟି ପୋଖରୀରୁ ୬ ଟି ପୋଖରୀରେ ମାଛ ଚାଷ ପାଇଁ ପ୍ରଥମ ଥର ନୋଟିସ ଅନୁସାରେ ନିଲାମ ଡାକି ନିଲାମକାରୀ ମାନେ ଅର୍ଥ ଜମା କରିବା ପରେ ସେମାନଙ୍କୁ ଚୁକ୍ତି ଭିତ୍ତିକ ପ୍ରକ୍ରିୟାରେ ପୋଖରୀ ହସ୍ତାନ୍ତର କରାଯାଇଛି । ଓଡ଼ଗାଁ ଏନଏସି କାର୍ଯ୍ୟାଳୟ ଠାରେ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଏବଂ ଅତିରିକ୍ତ ତହସିଲଦାର ପବିତ୍ର କୁମାର ସେଠୀଙ୍କ ଉପସ୍ଥିତିରେ ପୋଖରୀ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ନିଲାମ ଡାକରାରେ ଯେଉଁ ବ୍ୟକ୍ତି ଅଧିକ ଟଙ୍କା ଦେଲେ ସର୍ବ ସମ୍ମୁଖରେ ସେହି ବ୍ୟକ୍ତିଙ୍କ ନାମରେ ନିଲାମି ଖାମି କରାଯାଇଥିଲା । ଆଖୁପଦର, ରଗଡ଼ିସାହି ଏବଂ ଖଜୁରିଆ ପୋଖରୀ ମାଛ ଚାଷ ପାଇଁ ଉପଯୁକ୍ତ ହୋଇନଥିବାରୁ ସେଗୁଡିକୁ ନିଲାମ ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା ।ଏହି ପୋଖରୀ ଗୁଡ଼ିକ ଚୁକ୍ତି ଭିତ୍ତିକ ନିଲାମ ହେବା ଦ୍ଵାରା ଓଡ଼ଗାଁ ଏନଏସିର ନିଜସ୍ଵ ଆୟ ବୃଦ୍ଧି ହେବା ସହିତ ଅଧିକ ସରକାରୀ ଅର୍ଥ ଅନୁଦାନ ନିମନ୍ତେ ବାଟ ଖୋଲିଲା ।
