
ନୟାଗଡ: ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରଶାସନ ଅବହେଳା କରୁଥିବାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଜନ ପ୍ରତିନିଧି । ଗତ ମେ ମାସ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇ ମେ ମାସ ୧୫ ତାରିଖରେ ବିଜେପିରେ ମିଶିଥିବା ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୋଧରେ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମାନେ ମେ ୧୮ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଅନାସ୍ଥା ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବରେ ରହିଥିବା ଦସ୍ତଖତ ଯାଞ୍ଚ କରିବାକୁ ପଠାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ଆସିଛି।ଗତ ମେ ୩୦ ତାରିଖରେ ଅନେକ ଜନ ପ୍ରତିନିଧି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କୁ ଘେରାଉ କରିଥିଲେ ।ମାତ୍ର ଉପଜିଲ୍ଲାପାଳ ଦସ୍ତଖତ ଗୁଡ଼ିକ ଯାଞ୍ଚ ପାଇଁ ବିଡ଼ିଓଙ୍କ ପାଖକୁ ପଠାଯାଇଛି ଏବଂ ସେଠାରୁ ରିପୋର୍ଟ ଆସିଲେ ଅନାସ୍ଥା କରାଯିବ।ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ ସେଠାରେ ପହଞ୍ଚି ଜନ ପ୍ରତିନିଧି ମାନଙ୍କୁ ବୁଝାଇବା ସହିତ ଦୁଇ ଦିନ ମଧ୍ୟରେ ଅନାସ୍ଥା ପ୍ରସ୍ତାବ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଦେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ ତେଣୁ ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ବହୁ ସରପଞ୍ଚ , ସମିରିସଭ୍ୟ ଓ ଜନ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ସରକାରୀ ଦଳର ହାତ ବାରିସି ସାଜିଥିବା ଅଭିଯୋଗ ଆସିବା ସହିତ ଜିଲ୍ଲା ପ୍ରଶାସନ ଗଣତନ୍ତ୍ରର ହତ୍ୟା କରୁଛି ଏବଂ ଅନାସ୍ଥା କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଜନ ପ୍ରତିନିଧି ମାନେ ଚେତାବନୀ ଦିଆଯାଇଛି ।ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି ଏସଆଇଆର କାମ ପାଇଁ ଅନାସ୍ଥା କରାଯାଇନଥିଲା ମାତ୍ର ଖୁବ ଶୀଘ୍ର ଅନାସ୍ଥା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଜନ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କୁ ପୁଣି ଏକ ଦାବି ପାତ୍ର ଦେବା ସହିତ ଆସନ୍ତା ୧୭ ତାରିଖରୁ ଅହୋରାତ୍ର ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
