‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ

add-all

କୋରାପୁଟ : ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ଗରିବ ଓ ଅଭାବୀ ପରିବାରଗୁଡ଼ିକ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ସମୃଦ୍ଧ ଓଡ଼ିଶା ଗଠନର ରୋଡମ୍ୟାପ୍ ସହ ୧୨୧ଟି ପ୍ରଗତିଶୀଳ ଯୋଜନା ମଧ୍ୟରୁ ଅନ୍ୟତମ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଜିଲ୍ଲାସ୍ତରୀୟ ଭବ୍ୟ ଶୁଭାରମ୍ଭ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଅଡିଟରିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଜିଲ୍ଲାବାସୀ ଓ ଅତିଥିବୃନ୍ଦ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଏହାପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକଙ୍କ କରକମଳରେ ଏହି ଜନକଲ୍ୟାଣକାରୀ ଯୋଜନାର ଶୁଭ ଉଦ୍ଘାଟନ ହୋଇଥିଲା। ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ପ୍ରଗତିଶୀଳ ଯୋଜନା ସମ୍ପର୍କିତ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ମଧ୍ୟ ସ୍ଥାପନ କରାଯାଇଥିଲା।

ଏହି ନୂତନ ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGAY) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅନ୍ତର୍ଗତ ସମସ୍ତ ଯୋଗ୍ୟ ରେସନ କାର୍ଡଧାରୀ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତୀତ ମାସିକ ହିତାଧିକାରୀ ପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ବିନା ମୂଲ୍ୟରେ ପାଇପାରିବେ। ଚଳିତ ୨୦୨୬ ଏପ୍ରିଲ ମାସରୁ ଏହି ଯୋଜନା ଲାଗୁ କରାଯାଇଥିବାରୁ, ହିତାଧିକାରୀମାନେ ଏକକାଳୀନ ଏପ୍ରିଲ, ମେ ଏବଂ ଜୁନ୍ ମାସର ବକେୟା କୋଟା ହିସାବରେ ସର୍ବମୋଟ ୧୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ସଂଗ୍ରହ କରିପାରିବେ। ଏଥିପାଇଁ କୌଣସି ସ୍ୱତନ୍ତ୍ର ରେସନ କାର୍ଡର ଆବଶ୍ୟକତା ନାହିଁ ଏବଂ ଜନସାଧାରଣ ନିଜ ନିକଟସ୍ଥ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଏହା ପାଇପାରିବେ।

କୋରାପୁଟ ଜିଲ୍ଲାରେ ଥିବା ସର୍ବମୋଟ ୩୪୧ଟି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ପ୍ରାୟ ୩,୭୪,୪୩୮ଟି ରେସନ କାର୍ଡଧାରୀ ପରିବାରର ୧୧,୪୧,୦୧୩ ଜଣ ହିତାଧିକାରୀ ଏହି ଯୋଜନାରେ ସିଧାସଳଖ ଉପକୃତ ହେବେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ହିତାଧିକାରୀଙ୍କୁ ୨୦ଟି ନୂତନ ରାସନ କାର୍ଡ ବଣ୍ଟନ କରାଯିବା ସହ ମହିଳା ଓ ଶିଶୁ ବିକାଶ ବିଭାଗର ‘ପୋଷଣ ଯୋଜନା’ ଅଧୀନରେ ମହିଳାମାନଙ୍କୁ ଡିଜିଟାଲ୍ ଦୁନିଆ ସହ ଯୋଡ଼ି ସଶକ୍ତ କରିବା ପାଇଁ ୧୦ଟି ସ୍ମାର୍ଟଫୋନ୍ ମଧ୍ୟ ପ୍ରଦାନ କରାଯାଇଥିଲା।

ଉଦ୍ଘାଟନୀ ସଭାରେ କୋରାପୁଟ ବିଧାୟକ ରଘୁରାମ ମାଛ ନିଜ ଅଭିଭାଷଣରେ କହିଥିଲେ ଯେ, ଅଞ୍ଚଳର ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା ଏବଂ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଜିଲ୍ଲାର କୌଣସି ଗରିବ ପରିବାରକୁ ଭୋକିଲା ରହିବାକୁ ଦେବ ନାହିଁ। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋଟପାଡ଼ ବିଧାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଡୁଲିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଯୋଜନା ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ଅଭାବୀ ପରିବାର ପାଖରେ ଖାଦ୍ୟ ସୁରକ୍ଷା ପହଞ୍ଚାଇବାରେ ଏକ ବଳିଷ୍ଠ ମାଇଲଖୁଣ୍ଟ ସଦୃଶ ହେବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ad-week
Leave A Reply

Your email address will not be published.