ପଞ୍ଚଭୂତରେ ଲୀନ ହୋଇଗଲେ ଭାରତରତ୍ନ ଲତା ମଙ୍ଗେଶକର

add-all

ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଗଲେ ଭାରତ ରତ୍ନ ତଥା ସ୍ୱର ସାମ୍ରାଜ୍ଞୀ। ଘଟିଲା ଏକ ଯୁଗର ଅବସାନ। ନୀରବି ଗଲେ ଲତା ମଙ୍ଗେଶକର, କିନ୍ତୁ ଅମର ହୋଇଗଲା ତାଙ୍କ ସ୍ୱର। ମୁମ୍ବାଇର ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ। ସେ ଲତାଙ୍କ ଅନ୍ତିମ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଏହାବ୍ୟତୀତ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଶରଦ ପୱାର ଓ ରାଜ ଠାକରେ ପ୍ରମୁଖ ଅନେକ ବଡ଼ ବଡ଼ ରାଜନୈତିକ ନେତା ମଧ୍ୟ ଯୋଗ ଦେଇଥିଲେ। ସେହିପରି କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଅଞ୍ଜଳି, ବଲିଉଡ୍ ଷ୍ଟାର୍ ଶାହରୁଖ୍ ଖାନ୍ ଉପସ୍ଥିତ ରହି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେହିପରି ବି-ଟାଉନ ବଡ ବଡ ସେଲେବ୍ରିଟିମାନେ ମଧ୍ୟ ଶିବାଜୀ ପାର୍କ ଯାଇ ଲତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ତାଙ୍କ ଶେଷ ଦର୍ଶନ କରିଛନ୍ତି। ଶାହାରୁଖ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧା କପୁର, ମଧୁର ଭଣ୍ଡାରକର, ସଞ୍ଜୟ ଲୀଲା ଭଂସାଲି, ଅନୁରାଧା ପୋଡୱାଲ, ଲତାଙ୍କ ଭଉଣୀ ଆଶା ଭୋସଲେ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କ୍ରିକେଟର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ।
ଆଜି ସକାଳେ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଲତା ମଙ୍ଗେଶକର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବୟସାଧିକ ଯୋଗୁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରିଚ୍‌ କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।
ତା’ପରେ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଥିବା ଜଣାପଡ଼ିଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୨୮ ତାରିଖରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ। ତେବେ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା। ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ତାଙ୍କଠାରେ ଆଉ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଆଉ ଆଜି ସକାଳେ ସେ ଆଖି ବୁଜି ଦେଇଥିଲେ।

ad-week
Leave A Reply

Your email address will not be published.