ହୋମିଓପାଥି ମେଡିକାଲ କଲେଜ ପାଇଁ ହୋଇପାରୁନି ସ୍ଥାନ ଚିହ୍ନଟ : ଦ୍ବନ୍ଦରେ ଜିଲ୍ଲାବାସୀ…

add-all

ନୟାଗଡ: ନୟାଗଡ଼ ଜିଲ୍ଲାରେ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା ହେବା ପରେ କେଉଁ ସ୍ଥାନରେ ଏହାକୁ ତିଆରି କରାଯିବ ସ୍ଥାନ ଖୋଜିବାରେ ଦୀର୍ଘଦିନ ବିତିଗଲାଣି । ଅନେକ ଜାଗା ଦେଖିବା ପରେ ମଧ୍ୟ ମନୋନୀତ ସ୍ଥାନ ଚିହ୍ନଟ ହୋଇପାରୁନାହିଁ ।ବର୍ତ୍ତମାନ ଦଶପଲ୍ଲା ଅଞ୍ଚଳରେ ସ୍ଥାନ ଚିହ୍ନଟ ପାଇଁ ପ୍ରଶାସନ ପ୍ରୟାସ ଆରମ୍ଭ କରିଛନ୍ତି।ସ୍ଥାନ ଚିହ୍ନଟ ସମସ୍ୟା ନେଇ ଏହି ହୋମିଓପାଥି ମେଡିକାଲ କଲେଜର ଭବିଷ୍ୟତ ଆଶଙ୍କା ପୂର୍ଣ୍ଣ ହୋଇରହିଛି ।ଗତ ମାସରେ ଆୟୁଷ ନିର୍ଦ୍ଦେଶିକା ଅଞ୍ଜନା ପଣ୍ଡା ରଣପୁର ବସନ୍ତ ମଞ୍ଜରୀ ଜେନେରାଲ ହସ୍ପିଟାଲ ଭିତ୍ତିଭୂମି ପରିଦର୍ଶନ କରିଥିଲେ ।ତେଣୁ ରଣପୁର ଅଞ୍ଚଳରେ ଏହି ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରେ ବୋଲି ଅନୁମାନ କରାଯାଉଥିଲା ।କିନ୍ତୁ କୌଣସି କାରଣ ବଶତଃ ସେଠାରେ ଏହି ମେଡିକାଲ କଲେଜ ସ୍ଥାପନ ହେବନାହିଁ ବୋଲି ଜଣାପଡିଛି। ସେହିପରି ନୟାଗଡ଼ରେ ଚିହ୍ନଟ ହୋଇଥିବା ସ୍ଥାନର ପାରିପାର୍ଶିକ ଅବସ୍ଥା ମେଡିକାଲ କଲେଜ ପାଇଁ ପ୍ରଯୁଜ୍ୟ ହୋଇନଥିବାରୁ ଏବେ ସ୍ଥାନ ଚିହ୍ନଟ ପାଇଁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଁ ପ୍ରିୟବ୍ରତ ସାମନ୍ତରା ନୟାଗଡ଼ର ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚିଠି କରିବା ପରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ନୟାଗଡ଼ ତହସିଲଦାରଙ୍କୁ ଚିଠି କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାୟ ୧୦ ଏକର ଜାଗା ଆବଶ୍ୟକ ତେଣୁ ନୟାଗଡ଼ ଜିଲ୍ଲା ମୁଖ୍ୟାଳୟରେ ଏତେ ପରିମାଣରେ ସ୍ଥାନ ମିଳିବାରେ ସମସ୍ୟା ହେଉଛି ।ଓଡ଼ଗାଁ କିମ୍ବା ଖଣ୍ଡପଡ଼ା ଯିବା ରାସ୍ତାରେ ଜାଗା ଚିହ୍ନଟ ପାଇଁ ପ୍ରଶାସନ ଯୋଜନା କରୁଥିବା ବେଳେ ଚାନ୍ଦପୁର ବସନ୍ତ ମଞ୍ଜରୀ ଡାକ୍ତରଖାନା ଠାରେ ଏହି ହୋମିଓପାଥି ମେଡିକାଲ କଲେଜ ନିର୍ମାଣ ପାଇଁ ବହୁ ବ୍ୟକ୍ତି ଦାବି କରୁଛନ୍ତି ।ମାତ୍ର ଏହି ମେଡିକାଲ କଲେଜ ଚାନ୍ଦପୁର ଠାରେ ହେଲେ ରାଜନୈତିକ ସ୍ଥିତି ଉପରେ ଆଞ୍ଚ ଆସିବାକୁ ନେଇ ଚର୍ଚ୍ଚା ଜୋର ଧରିିବାରୁ ଅନ୍ୟ ସ୍ଥାନରେ ଏହାକୁ କରିବାକୁ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିଛି ।ନୟାଗଡ଼ ଜିଲ୍ଲାବାସୀ ଏହି ମେଡିକାଲ କଲେଜକୁ ନେଇ ଦ୍ବନ୍ଦରେ ଥିବା ବେଳେ ଜିଲ୍ଲା ପ୍ରଶାସନ ଏପରି ପ୍ରହେଳିକା ଉପରୁ ପରଦା ହଟାଇବାକୁ ଦାବି ହେଉଛି।

ad-week
Leave A Reply

Your email address will not be published.