
ମାଲକାନଗିରି :ଜିଲ୍ଲାରେ ଶିକ୍ଷକ ବଦଳି ପ୍ରକ୍ରିୟା ଚାଲିଥିବା ବେଳେ କେତେକ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ସହକାରୀ ଶିକ୍ଷକ ମହଳରେ ଚର୍ଚ୍ଚା ଜୋର ଧରିଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ, ସେ ୨୦୦୭ ମସିହାରେ ପଣସପୁଟ ବିଦ୍ୟାଳୟରେ ପ୍ରଥମ ନିଯୁକ୍ତି ପାଇଥିଲେ। ପରେ ୨୦୧୧ ରୁ ୨୦୧୭ ପର୍ଯ୍ୟନ୍ତ ଚିତ୍ରକୋଣ୍ଡାସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ (ମଙ୍ଗଳ ବିଭାଗ)ରେ କାର୍ଯ୍ୟ କରିଥିଲେ। ୨୦୧୭ ରୁ ୨୦୧୮ ପର୍ଯ୍ୟନ୍ତ ମାଥିଲି ବ୍ଲକର ଧଉଡ଼ଗୁଡ଼ା ବିଦ୍ୟାଳୟରେ କାର୍ଯ୍ୟରତ ରହିବା ପରେ ପୁନର୍ବାର ୨୦୧୮ ରୁ ଆଜି ପର୍ଯ୍ୟନ୍ତ ଚିତ୍ରକୋଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି।
ଏହି ହିସାବରେ ସେ ପ୍ରାୟ ୧୫ ବର୍ଷ ଧରି ଏକେ ବିଦ୍ୟାଳୟ ଏବଂ ୧୯ ବର୍ଷ ଧରି ଏକେ ବ୍ଲକରେ କାର୍ଯ୍ୟରତ ରହିଛନ୍ତି। ଏପରି ସ୍ଥିତିରେ ସରକାରଙ୍କ ବଦଳି ନୀତି ତାଙ୍କ କ୍ଷେତ୍ରରେ କିପରି ପ୍ରଯୋଜ୍ୟ ହେଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ବର୍ତ୍ତମାନ ବଦଳି ପ୍ରକ୍ରିୟାରେ ଜିଲ୍ଲାର ଅନେକ ଶିକ୍ଷକଙ୍କ ବଦଳି ହୋଇଥିବା ବେଳେ ଲିପିକା ସାମନ୍ତରାୟଙ୍କ ନାମ ତାଲିକାରେ ନ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ବଦଳି ନ ହେବା ପାଇଁ କିଏ ସୁପାରିଶ କରିଛନ୍ତି ଏବଂ କେଉଁ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି, ସେ ନେଇ ସ୍ପଷ୍ଟତା ଦାବି କରାଯାଉଛି।
ଯଦି କୌଣସି ବିଶେଷ କାରଣରୁ ତାଙ୍କୁ ବଦଳିରୁ ଅବ୍ୟାହତି ଦିଆଯାଇଛି, ତେବେ ସେହି ସୁବିଧା ଅନ୍ୟ ଦୀର୍ଘଦିନ ଧରି ଏକେ ସ୍ଥାନରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ କାହିଁକି ଦିଆଯାଉନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ସମଗ୍ର ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରିବାକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି
