ମାଲକାନଗିରିରେ ବିଭିନ୍ନ ବିଭାଗର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ

add-all

ମାଲକାନଗିରି : ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସତୀଗୁଡା ଇକୋ ପାର୍କ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ ବିଭିନ୍ନ ବିଭାଗର ପ୍ରକଳ୍ପ ଅଗ୍ରଗତି ନେଇ ପଚାରି ବୁଝିବା ସହ ବାକି ରହିଥିବା ସମସ୍ତ କାର୍ଯ୍ୟକୁ ସମ୍ପୃକ୍ତ ଠିକାଦାରମାନେ ଯଥାଶୀଘ୍ର ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ପ୍ରାକ୍ତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନିଯୁକ୍ତି ଏବଂ ମେଡିକାଲ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜନଜାତି ବିଦ୍ୟାଳୟଗୁଡ଼ିକର ସ୍ଥିତି, ହୋଷ୍ଟେଲ ବ୍ୟବସ୍ଥା ଏବଂ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ବ ଦିଆଯାଇଛି। ଏହା ସହିତ ଏକ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା ହୋଇଛି। ବଣ୍ଡା ଓ ଦିଦାୟୀ ଜନଜାତିର ସାମଗ୍ରିକ ବିକାଶ ସହ ଆଦିବାସୀମାନଙ୍କ ଜୀବିକା ନିର୍ବାହର ଉନ୍ନତିକରଣ ପାଇଁ ଆଲୋଚନା କରାଯାଇଛି। ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟର ତଦାରଖ କରିବା ସହ ବ୍ଲକ୍ ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ନୂଆ ରାସ୍ତା ସଂଯୋଗୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ସହ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ ମାଲକାନଗିରି ସହର ବସ୍ ଷ୍ଟାଣ୍ଡ ଓ ମଲ୍ଲିକେଶ୍ୱର ଶିବ ମନ୍ଦିର ଠାରେ ପୂର୍ବାହ୍ନ ରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟ ରେ ଯୋଗ ଦେଇଥିଲେ। କୃଷି ପ୍ରକଳ୍ପ, ମେଗା ପ୍ରକଳ୍ପ, ବିଭିନ୍ନ ବ୍ରିଜ୍, ମେଗା ପାନୀୟ ଜଳ ପ୍ରକଳ୍ପ (ମାରିୱାଡ଼ା ଓ କିଆଙ୍ଗ), ଏମଭି ୭ ବ୍ରିଜ୍, ଡ୍ୟାମ ଓ କେନାଲ୍ ଅଞ୍ଚଳ ପରିଦର୍ଶନ କରି କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେହିପରି ମୁଖ୍ୟ ସଚେତକ ଏୟାରପୋର୍ଟ ପରିଦର୍ଶନ କରିବା ସହ ଖୁବ୍ ଶୀଘ୍ର ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି। ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆସନ୍ତା ବର୍ଷରୁ ଏହାର ମୁଖ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଜିଲ୍ଲାରେ ୪୧ ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କଠାରୁ ୧୫ ଲକ୍ଷ କ୍ବିଣ୍ଟାଲରୁ ଅଧିକ ଅତିରିକ୍ତ ଧାନ କିଣାଯାଇଛି ଏବଂ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସବସିଡି ପ୍ରଦାନ କରାଯାଉଛି। ଏହା ସହ ଗରିବ କଲ୍ୟାଣ ଯୋଜନାରେ ଗ୍ରାମାଞ୍ଚଳରେ ୪ ସେଣ୍ଟ ଓ ସହରାଞ୍ଚଳରେ ୨ ସେଣ୍ଟ ଜମି ସରକାର ଯୋଗାଇ ଦେବେ। ବୈଠକ ପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ, ଆଗାମୀ ଦିନରେ ଜିଲ୍ଲାର ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ଼ ହେବ। ମାଲକାନଗିରି ଏକ ‘ସମ୍ଭାବନାର ଜିଲ୍ଲା’ ଏବଂ ଏହା ଖୁବ୍ ଶୀଘ୍ର ଏକ ସମୃଦ୍ଧ ଜିଲ୍ଲା ଭାବେ ବିକାଶର ଧାରାରେ ୧ ନମ୍ବର ସ୍ଥାନ ହାସଲ କରିବ।

ad-week
Leave A Reply

Your email address will not be published.