ଓଡ଼ିଶାର ଗର୍ବ: ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ‘କମ୍ରେଡ୍ସ ଅଲ୍ଟ୍ରା-ମାରାଥନ’ ସଫଳତାର ସହ ଶେଷ କଲେ ଓଡ଼ିଆ କର୍କଟ ରୋଗ ବିଶେଷଜ୍ଞ ଡକ୍ଟର ମନୋରଞ୍ଜନ ନାୟକ

ଭୁବନେଶ୍ୱର : ମାନବ ଜାତିର ସର୍ବଶ୍ରେଷ୍ଠ ଓ କଠିନତମ ଦୌଡ଼ ଭାବେ ପରିଚିତ ବିଶ୍ୱର ସବୁଠାରୁ ପୁରୁଣା ଏବଂ ବୃହତ୍ତମ ଅଲ୍ଟ୍ରା-ମାରାଥନ ‘କମ୍ରେଡ୍ସ ରନ୍’ (Comrades Marathon)ର ୯୯ତମ ସଂସ୍କରଣରେ ଏକ ଗୌରବମୟ ଇତିହାସ ରଚିଛନ୍ତି ଓଡ଼ିଆ ପୁତ୍ର ଡକ୍ଟର ମନୋରଞ୍ଜନ ନାୟକ । ଗତ ଜୁନ୍ ୧୪ ତାରିଖରେ ଦକ୍ଷିଣ ଆଫ୍ରିକାର ଡରବାନଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫୭ ବର୍ଷୀୟ ଡକ୍ଟର ମନୋରଞ୍ଜନ ଏହି ଅସାଧ୍ୟ ସାଧନ କରି ବିଶ୍ୱର ଶ୍ରେଷ୍ଠ ଆଥଲେଟ୍ମାନଙ୍କ ତାଲିକାରେ ନିଜ ନାମ ସାମିଲ କରିଛନ୍ତି। ସେ ହେଉଛନ୍ତି ଏହି ଶ୍ରେଷ୍ଠତମ ତଥା ଦୁର୍ଗମ ଦୌଡ଼କୁ ସଫଳତାର ସହ ସମ୍ପୂର୍ଣ୍ଣ କରିବାରେ ସମଗ୍ର ଓଡ଼ିଶାର ଦ୍ୱିତୀୟ ବ୍ୟକ୍ତି। ଓଡ଼ିଶାର ବ୍ରହ୍ମପୁର ସହର ନିକଟବର୍ତ୍ତୀ ଭୂତସରସିଙ୍ଗି ଗ୍ରାମର ସ୍ୱର୍ଗତ ଡକ୍ଟର ମାୟାଧର ନାୟକଙ୍କ ପୁତ୍ର ଡକ୍ଟର ମନୋରଞ୍ଜନ ବର୍ତ୍ତମାନ ହାଇଦ୍ରାବାଦସ୍ଥିତ ଓମେଗା ହସ୍ପିଟାଲରେ ଜଣେ ସଫଳ ସର୍ଜିକଲ ଅଙ୍କୋଲୋଜିଷ୍ଟ (କର୍କଟ ରୋଗ ଶଲ୍ୟ ଚିକିତ୍ସା ବିଶେଷଜ୍ଞ) କନ୍ସଲଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି।
ଡରବାନ ଠାରୁ ପିଟରମାରଟିଜ୍ବର୍ଗ ପର୍ଯ୍ୟନ୍ତ ବିସ୍ତୃତ ଏହି ୮୬.୭୭ କିଲୋମିଟରର ଦୀର୍ଘ ଦୌଡ଼ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, ଯାହା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୭୪୨ ମିଟର ଉଚ୍ଚରେ ପାଞ୍ଚ ପାଞ୍ଚଟି ବଡ଼ ଓ ସୁଉଚ୍ଚ ପର୍ବତ ଶୃଙ୍ଖଳା ଦେଇ ଗତି କରିଥାଏ। ଏହି ଦୁର୍ଗମ ରାସ୍ତାକୁ ଡକ୍ଟର ମନୋରଞ୍ଜନ ମାତ୍ର ୧୧ ଘଣ୍ଟା ୫୬ ମିନିଟ୍ରେ ଅତିକ୍ରମ କରି ଓଡ଼ିଶା ପାଇଁ ଏକ ଅବିସ୍ମରଣୀୟ ସଫଳତା ଆଣିଦେଇଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱ ଦୃଢ଼ ଶୃଙ୍ଖଳା, ଅଧ୍ୟବସାୟ ଏବଂ ଅପୂର୍ବ ନିଷ୍ଠାର ଏକ ଅନନ୍ୟ ଉଦାହରଣ। ଏହି ବିଶ୍ୱସ୍ତରୀୟ ରେସର ପ୍ରାରମ୍ଭିକ ରେଖାରେ ପହଞ୍ଚିବା ପାଇଁ ସେ ବିଗତ ଛଅ ମାସ ଧରି ପ୍ରତିଦିନ ଭୋର ସମୟରେ କଠିନ ଶାରୀରିକ ପରିଶ୍ରମ ଓ ଅଭ୍ୟାସ ଜାରି ରଖିଥିଲେ। ଦୌଡ଼ ସମୟରେ ଯେତେବେଳେ ସେ ସବୁଠାରୁ କଠିନ ଓ ଚ୍ୟାଲେଞ୍ଜିଂ ପାହାଡ଼ିଆ ରାସ୍ତାର ସାମ୍ନା କରିଥିଲେ, ସେତେବେଳେ ତାଙ୍କର ଅସୀମ ସାହସ, ଧୈର୍ଯ୍ୟ ଓ ମାନସିକ ଦୃଢ଼ତା ହିଁ ତାଙ୍କୁ ସଫଳତାର ସହ ଶେଷ ସୀମା ପାର୍ କରାଇବାରେ ସାହାଯ୍ୟ କରିଥିଲା। ଜଣେ ବ୍ୟସ୍ତବହୁଳ ଚିକିତ୍ସକ ହୋଇ ମଧ୍ୟ ଖେଳକୁଦ କ୍ଷେତ୍ରରେ ତାଙ୍କର ଏହି ଅସାଧାରଣ ସଫଳତା ଆଜି ସମଗ୍ର ଓଡ଼ିଶା ତଥା ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
