ଜୀବିକା ପାଇଁ ସ୍ୱଦେଶୀ ଯୁଗାଡ଼ ଲୁଗା ମେସିନ

add-all

-ପୂର୍ବଜଙ୍କ ପାରମ୍ପରିକ କୌଶଳରେ ଚାଲିଛି ଜୀବନ ସଂଗ୍ରାମ; ଭିକ୍ଷା ଗ୍ରାମବାସୀଙ୍କ ଆର୍ଥିକ ସହାୟତା ପାଇଁ ସରକାରଙ୍କ ପାଖରେ ଦାବି-
ଉମରକୋଟ/ଝରୀଗାଁ : ଭାରତର ସ୍ୱାଧୀନତା ସଂଗ୍ରାମର କଥା ମନେପଡିଲେ ସର୍ବପ୍ରଥମେ ମନକୁ ଆସେ ମହାତ୍ମା ଗାନ୍ଧୀଙ୍କ ଚରଖା ଓ ସ୍ୱଦେଶୀ ଆନ୍ଦୋଳନର କଥା। ସେହି ସମୟରେ ଚରଖା କେବଳ ସୁତା କାଟିବାର ଏକ ଉପକରଣ ନଥିଲା, ଏହା ଥିଲା ସ୍ୱାବଲମ୍ବନ, ସ୍ୱଦେଶୀ ଚେତନା ଓ ଆର୍ଥିକ ସ୍ୱାଧୀନତାର ପ୍ରତୀକ। ଦେଶ ସ୍ୱାଧୀନ ହେବାର ପ୍ରାୟ ୭୯ ବର୍ଷ ପରେ ଆଜି ଆଧୁନିକତାର ଯୁଗରେ ସବୁକିଛି ବଦଳିଯାଇଥିଲେ ମଧ୍ୟ, ଆଜିବି କିଛି ପରିବାର ସେହି ପୁରୁଣା ପାରମ୍ପରିକ ବୁଣା କଳାକୁ ଆଶ୍ରୟ କରି ନିଜ ଜୀବନ ଜୀବିକା ଚଳାଇ ଆସୁଛନ୍ତି।
ସୂଚନାପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଭିକ୍ଷା ଗ୍ରାମପଞ୍ଚାୟତର ରତ୍ନାକର ପନକାଙ୍କ ପରିବାର ଏହାର ଏକ ଜୀବନ୍ତ ଉଦାହରଣ। ଅର୍ଥନୈତିକ ଦୁର୍ବଳତା, ଶିକ୍ଷାର ଅଭାବ ଓ ନାନା ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମଧ୍ୟ ସେ ନିଜ ପୂର୍ବଜଙ୍କ ଠାରୁ ମିଳିଥିବା ପାରମ୍ପରିକ ହାତବୁଣା କଳାକୁ ଛାଡ଼ି ନାହାନ୍ତି। ବରଂ ଏହାକୁ ନିଜ ପରିବାରର ଜୀବିକାର ଏକମାତ୍ର ପନ୍ଥା ଭାବେ ଆପଣେଇ ଆସିଛନ୍ତି।

ରତ୍ନାକରଙ୍କ ପୂର୍ବଜଙ୍କ ଦ୍ୱାରା ପ୍ରସ୍ତୁତ କାଠ ନିର୍ମିତ ଲୁଗାବୁଣା ମେସିନ ଆଜି ତାଙ୍କ ପରିବାରର ରୋଜଗାରର ମୁଖ୍ୟ ମାଧ୍ୟମ ହୋଇପାରିଛି। ପିଢ଼ି ପରେ ପିଢ଼ି ଧରି ଏହି କୌଳିକ ବୃତ୍ତି ପରିବାରକୁ ଜୀବନ ଜୀବିକା ଯୋଗାଇ ଆସୁଛି।
ଏହି ମେସିନରେ ବ୍ୟବହୃତ ପାରମ୍ପରିକ ଉପକରଣଗୁଡ଼ିକ ମଧ୍ୟରେ ଭରଣା, ତସର, ଭାଣ୍ଡି, ଭେଣ୍ଡିକି, ଡ଼ଙ୍ଗୀ, ମହାଦେବ ଖୁଣ୍ଟା, ଓଢ଼ ଖୁଣ୍ଟା, ନଚେନି ଓ ହାତା ଭଳି ଅନେକ ସାମଗ୍ରୀ ରହିଛି। ପ୍ରଥମେ ସୁତାକୁ ପ୍ରସ୍ତୁତ କରି ଡ଼ଙ୍ଗୀରେ ଚଢ଼ାଯାଏ ଏବଂ ପରେ ଅତ୍ୟନ୍ତ ନିଖୁଣ ଭାବରେ ବୁଣା ପ୍ରକ୍ରିୟା ସମ୍ପନ୍ନ କରାଯାଏ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ପାରମ୍ପରିକ ବୁଣା ମେସିନରେ ପ୍ରସ୍ତୁତ ହେଉଥିବା ଡିଜାଇନ ଓ ନକ୍ଷା ଆଧୁନିକ ଯନ୍ତ୍ରରେ ତିଆରି ବସ୍ତ୍ର ଠାରୁ କୌଣସି ଅଂଶରେ କମ ନୁହେଁ। କେବଳ କାଠ ଓ ଦଉଡ଼ିରେ ତିଆରି ଏହି ଯନ୍ତ୍ର ଦେଖିବାକୁ ଯେତେ ସାଧାରଣ ଲାଗେ, ଏହାକୁ ଚଳାଉଥିବା କାରିଗରଙ୍କ ହାତର କୌଶଳ ସେତେ ଆଶ୍ଚର୍ଯ୍ୟଜନକ।
ପ୍ରତିଟି ସୁତାର ହିସାବ ରଖି ହାତରେ ପ୍ରସ୍ତୁତ ହେଉଥିବା ଶାଢ଼ୀ ଓ ସାଲ ଦେଖିବାକୁ ଖୁବ ସୁନ୍ଦର ଓ ମଜବୁତ ହୋଇଥାଏ।
“ଆମର ଏହି କାମ ହିଁ ପରିବାରର ଭରସା। ଆଗରୁ ବସ୍ତ୍ର ତିଆରି କରି ରଖିବାକୁ ଅର୍ଥ ନାହିଁ। ଲୋକେ ଅର୍ଡର ଦେଲେ ଅଗ୍ରିମ ଟଙ୍କା ନେଇ କାମ କରୁଛୁ।”
କହିଛନ୍ତି ରତ୍ନାକର ପନକା | ଏକ ସମୟରେ ଏହି ହାତବୁଣା ବସ୍ତ୍ରର ଚାହିଦା ବହୁତ ଥିଲା। ଲୋକେ ଅର୍ଡର ଦେଇ ବସ୍ତ୍ର କିଣୁଥିଲେ ଓ ଏହା ଏକ ସମୃଦ୍ଧ ଶିଳ୍ପ ଭାବରେ ପରିଚିତ ଥିଲା। କିନ୍ତୁ ସମୟ ପରିବର୍ତ୍ତନ ସହିତ ଯନ୍ତ୍ର ନିର୍ମିତ ପୋଷାକ ବଜାରକୁ ଆସିବା ପରେ ଏହି ପାରମ୍ପରିକ ଶିଳ୍ପର ଚାହିଦା କମିବାରେ ଲାଗିଛି।
ଅର୍ଥ ଅଭାବ ଯୋଗୁଁ ରତ୍ନାକରଙ୍କ ପରିବାର ପୂର୍ବରୁ ବସ୍ତ୍ର ପ୍ରସ୍ତୁତ କରି ରଖିପାରୁନାହାନ୍ତି। ଆବଶ୍ୟକୀୟ କଞ୍ଚାମାଲ ଓ ସୁତା ଆଣିବା ପାଇଁ ଛତିଶଗଡ଼ର ଜଗଦଲପୁର ପର୍ଯ୍ୟନ୍ତ ଯିବାକୁ ପଡୁଛି, ଯାହା ଆର୍ଥିକ ବୋଝକୁ ଆହୁରି ବଢ଼ାଇ ଦେଉଛି।

ରତ୍ନାକରଙ୍କ ପରିବାରରେ ଦୁଇଜଣ ଦିବ୍ୟାଙ୍ଗ ସନ୍ତାନ ରହିଛନ୍ତି। ଏହି ପରିସ୍ଥିତିରେ ପରିବାରର ଦାୟିତ୍ୱ ଓ ଜୀବନ ସଂଗ୍ରାମ ଆହୁରି କଷ୍ଟକର ହୋଇପଡିଛି। ତଥାପି ସ୍ୱାମୀ-ସ୍ତ୍ରୀ ଦିନ ତମାମ ପରିଶ୍ରମ କରି ନିଜ ଜୀବନକୁ ଆଗକୁ ନେବାରେ ଚେଷ୍ଟା କରୁଛନ୍ତି।

ଭିକ୍ଷା ଗ୍ରାମର ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦାମାନେ ସରକାରଙ୍କୁ ଦାବି କରିଛନ୍ତି ଯେ, ଏଭଳି ପାରମ୍ପରିକ କାରିଗରମାନଙ୍କୁ ଆର୍ଥିକ ସହାୟତା, ସ୍ୱଳ୍ପ ତାଲିମ, ଆଧୁନିକ ଯନ୍ତ୍ରପାତି ଏବଂ ବଜାର ବ୍ୟବସ୍ଥାର ସୁବିଧା ଯୋଗାଇ ଦିଆଯାଉ। ଏହାଦ୍ୱାରା କେବଳ ଏକ ପରିବାର ନୁହେଁ, ଅନେକ ପରିବାର ଏହି ଜୀବିକାକୁ ଆପଣେଇ ସ୍ୱାବଲମ୍ବୀ ହୋଇପାରିବେ।
ସ୍ଥାନୀୟ ଲୋକଙ୍କ ମତରେ, ସରକାର ଯଦି ସମୟ ଥିବାବେଳେ ଏହି ଲୁପ୍ତପ୍ରାୟ କଳା ଓ ପ୍ରତିଭାକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନନେବେ, ତେବେ ଆଗାମୀ ଦିନରେ ଏହି ପାରମ୍ପରିକ ବୁଣା ଶିଳ୍ପ କେବଳ ସ୍ମୃତିରେ ସୀମିତ ହୋଇ ରହିଯିବ।

ad-week
Leave A Reply

Your email address will not be published.