
ବିରମିତ୍ରପୁର, ( ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଧୀନସ୍ଥ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ କର୍ମା ଛକ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆଲବିନୁଷ କେରକେଟଟା।
ସୂଚନା ଅନୁଯାୟୀ, OR 14Q 9433 ନମ୍ବର ବିଶିଷ୍ଟ ଏକ ସ୍କର୍ପିଓ ଗାଡ଼ି ବିରମିତ୍ରପୁର ପଟୁ ଜୟଡେଗା ଅଭିମୁଖେ ଯାଉଥିବା ସମୟରେ କର୍ମା ଛକ ନିକଟରେ ସାଇକେଲ ଚାଳକ ଆଲବିନୁଷଙ୍କୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବିରମିତ୍ରପୁର ତହସିଲଦାର ଗୌରୀ ନାଏକଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ (RI) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦,୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହାସହ ରାଏବଗା ପୋଲିସ, ଝୁନମୁର ସରପଞ୍ଚ ମିଶସନ ଗୁଡ଼ିଆ, ଜୟଡେଗା ସରପଞ୍ଚ ପୁଷ୍ପା ଲୁଗୁନ, କାଦୋଵାହାଲ ସରପଞ୍ଚ ମମତା ରୁଷିଆ କିଣ୍ଡ, କୁଆଁରମୁଣ୍ଡା ବ୍ଲକ ‘କ’ ଜିଲ୍ଲାପରିଷଦ ସଦସ୍ୟ ନେଭିଲ କେରକେଟଟା ଏବଂ ବ୍ଲକ ଅଧ୍ୟକ୍ଷା (ଚେୟାରମ୍ୟାନ) ଜୟତି କେରକେଟଟା ପ୍ରମୁଖ ଉପସ୍ଥିତ ହୋଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
ପ୍ରଶାସନିକ ପ୍ରତିଶ୍ରୁତି ଓ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡ଼ିକୁ ଜବତ କରି ଥାନାରେ ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (RGH)କୁ ପଠାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
