ବାଲୁଗାଁ ମତ୍ସ୍ୟ ବଜାରରୁ ୧୪ ବର୍ଷୀୟ ଶିଶୁ ଶ୍ରମିକ ଉଦ୍ଧାର, ଦୋକାନ ମାଲିକଙ୍କ ନାମରେ ମାମଲା ରୁଜୁ

add-all

ବାଲୁଗାଁ : ଶିଶୁ ଶ୍ରମ ବିରୋଧରେ ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ବାଲୁଗାଁ ମତ୍ସ୍ୟ ବଜାରରୁ ପୋଲିସ, ସିଡବ୍ଲ୍ୟୁସି (CWC) ଏବଂ ଶିଶୁ ଶ୍ରମ ପ୍ରତିରୋଧ ଟିମ୍‌ର ମିଳିତ ଚଢ଼ାଉରେ ଜଣେ ୧୪ ବର୍ଷୀୟ ନାବାଳକ ଶିଶୁ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଦୋକାନ ମାଲିକଙ୍କ ବିରୋଧରେ ବାଲୁଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୧ଟା ୧୦ ମିନିଟ ସମୟରେ ବାଲୁଗାଁ ମତ୍ସ୍ୟ ବଜାରସ୍ଥିତ ଦୋକାନ ନମ୍ବର C.N.-186 ଉପରେ ଏହି ମିଳିତ ଚଢ଼ାଉ କରାଯାଇଥିଲା। ସେଠାରୁ ସାମନ୍ତରାପୁର ସାହିର ବାସିନ୍ଦା ରାକେଶ ବେହେରା ନାମକ ଜଣେ ୧୪ ବର୍ଷୀୟ ନାବାଳକକୁ ଉଦ୍ଧାର କରାଯାଇଥିଲା। ଉକ୍ତ ନାବାଳକ ଜଣକ ଦୈନିକ ୪୦୦ ଟଙ୍କା ମଜୁରୀରେ ସେହି ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ।

ରୁଚିକା ସାମାଜିକ ସେବା ସଂଗଠନର କର୍ମକର୍ତ୍ତା ଜୟ କୁମାର ମହାରଣାଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ରଶାସନ ପକ୍ଷରୁ ଏହି ତ୍ୱରିତ ଚଢ଼ାଉ କରାଯାଇଥିଲା। ଏହି ବେଆଇନ କାର୍ଯ୍ୟ ପାଇଁ ସଂପୃକ୍ତ ଦୋକାନ ମାଲିକ ମୁସଲିମ ସାହିର ସାବିର ଉଦ୍ଦିନ ଆହାମଦଙ୍କ ବିରୋଧରେ ବାଲୁଗାଁ ଥାନା କେସ୍ ନମ୍ବର ୨୭ରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ (JJ Act) ୨୦୧୫ର ଧାରା ୭୫ ଏବଂ ଶିଶୁ ଶ୍ରମ ନିଷେଧ ଆଇନ ୧୯୮୬ର ଧାରା ୧୪ ଅନୁଯାୟୀ ସଙ୍ଗୀନ ମାମଲା ରୁଜୁ କରାଯାଇଛି।

ନାବାଳକକୁ ଉଦ୍ଧାର କରାଯିବା ପରେ ପ୍ରଥମେ ତାର ଆନୁଷ୍ଠାନିକ ଡାକ୍ତରୀ ପରୀକ୍ଷା (Medical Examination) କରାଯାଇଥିଲା। ଏହାପରେ ଆଗାମୀ ଥଇଥାନ ଓ ସୁରକ୍ଷା ପାଇଁ ଶିଶୁ ମଙ୍ଗଳ କମିଟି (CWC)କୁ ହସ୍ତାନ୍ତର କରାଯାଇଛି। ବାଲୁଗାଁ ଥାନା ଅଧିକାରିଣୀ ଇନ୍ସପେକ୍ଟର ଶ୍ରଦ୍ଧା ନାୟକ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି।

ଅପରପକ୍ଷରେ, ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ଗଠନ ଦିଗରେ ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ବିଶେଷ ଅନୁରୋଧ କରାଯାଇଛି। କୋମଳମତି ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ ନ କରିବାକୁ ଏବଂ ଆଖପାଖରେ ଏଭଳି କୌଣସି ଘଟଣା ନଜରକୁ ଆସିଲେ ତୁରନ୍ତ ପ୍ରଶାସନ ବା ଚାଇଲ୍ଡଲାଇନକୁ ଜଣାଇବାକୁ କୁହାଯାଇଛି। ବାଲୁଗାଁ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ର ଏଭଳି ତ୍ୱରିତ ଏବଂ ପ୍ରଶଂସନୀୟ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ଏବେ ବେଶ୍ ସାଧାରଣରେ ପ୍ରଶଂସା କରାଯାଉଛି।

ad-week
Leave A Reply

Your email address will not be published.