
ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଗଲା ଜିଲ୍ଲା ପ୍ରଶାସନ
ମାଲକାନଗିରି, : ମାଲକାନଗିରି ଜିଲ୍ଲାର ଗର୍ବ, ବିଶିଷ୍ଟ ତୀରନ୍ଦାଜ ଓ ତୀରନ୍ଦାଜୀ ପ୍ରଶିକ୍ଷକ ରାଜେଶ ହାଁସଦାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ପାର୍ଥିବ ଶରୀର ଏମ୍ଭି-୨ ସ୍ଥିତ ବାସଭବନକୁ ଅଣାଯିବା ପରେ ପରିବାର ସଦସ୍ୟ, ସମ୍ପର୍କୀୟ, କ୍ରୀଡ଼ାପ୍ରେମୀ, ସାମାଜିକ ସଂଗଠନ ଓ ବହୁ ଶୁଭେଚ୍ଛୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସାନ୍ଥାଳ ଆଦିବାସୀ ସମ୍ପ୍ରଦାୟର ରାଜେଶ ହାଁସଦା ୩୦ ଜୁଲାଇ ୧୯୭୭ରେ ଜନ୍ମଗ୍ରହଣ କରିଥିଲେ। ୧୯୮୯ ମସିହାରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI)ର ଟ୍ୟାଲେଣ୍ଟ ସର୍ଚ୍ଚ କ୍ୟାମ୍ପ ମାଧ୍ୟମରେ ଚୟନିତ ହୋଇ ସେ ତୀରନ୍ଦାଜୀ କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଦିଲ୍ଲୀରେ ପ୍ରଶିକ୍ଷଣ ଗ୍ରହଣ କରି ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ନିଜ କ୍ରୀଡ଼ା ଜୀବନରେ ୧୩ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ଜିତିବା ସହ ୧୯୯୮ ଏସିଆନ୍ ଗେମ୍ସରେ ଅଂଶଗ୍ରହଣ କରିଥିଲେ। ୨୦୦୨ ମସିହାରେ ଚୀନରେ ଆୟୋଜିତ ଦ୍ୱିତୀୟ ଏସିଆନ୍ ଗ୍ରାଣ୍ଡ ପ୍ରିକ୍ସରେ ସେ ଷଷ୍ଠ ସ୍ଥାନ ଅଧିକାର କରିଥିଲେ।
କାନ୍ଧରେ ଆଘାତ ଲାଗିବା ପରେ ସେ ପ୍ରତିଯୋଗିତାମୂଳକ କ୍ରୀଡ଼ାରୁ ଦୂରେଇ ଯାଇ ପ୍ରଶିକ୍ଷକ ଭାବେ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ। ଭୁବନେଶ୍ୱରସ୍ଥିତ KISSର ମୁଖ୍ୟ ତୀରନ୍ଦାଜୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରି ସେ ୪୦ରୁ ଅଧିକ ଖେଳାଳିଙ୍କୁ ଜାତୀୟ ସ୍ତରରେ ସଫଳତା ଦେଇଥିଲେ। ତାଙ୍କ ଅବଦାନ ପାଇଁ ସେ ଏକଲବ୍ୟ ସମ୍ମାନ, ନାଲକୋ ସ୍ପୋର୍ଟସ୍ ଆୱାର୍ଡ, ଅଶୋକ ପଟ୍ଟନାୟକ ସ୍ମୃତି ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଆଜି ଏମ୍ଭି-୨ ଗ୍ରାମରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ହଜାର ହଜାର ଶ୍ରଦ୍ଧାଳୁ ଶେଷ ଦର୍ଶନ କରିଥିଲେ। ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶେଷ ଯାତ୍ରା ବାହାରିଥିଲା ଏବଂ ଶତାଧିକ ଲୋକ ଏଥିରେ ସାମିଲ ହୋଇ ନିଜ ପ୍ରିୟ କ୍ରୀଡ଼ାବିତ୍ଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ରାଜେଶ ହାଁସଦାଙ୍କ ବିୟୋଗରେ କେବଳ ମାଲକାନଗିରି ନୁହେଁ, ସମଗ୍ର ଓଡ଼ିଶା କ୍ରୀଡ଼ା ଜଗତ ଜଣେ ଦକ୍ଷ ତୀରନ୍ଦାଜ, ପ୍ରେରଣାଦାୟୀ ପ୍ରଶିକ୍ଷକ ଓ ଆଦର୍ଶ ବ୍ୟକ୍ତିତ୍ୱଙ୍କୁ ହରାଇଛି।
ଏହି ଘଟଣାରେ ଓଡ଼ିଶାର ରାଜ୍ୟପାଳ ନିଜ ସାମାଜିକ ଗଣମାଧ୍ୟମ (X) ଜରିଆରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରବର୍ଗ ଓ ତୀରନ୍ଦାଜୀ ସମୁଦାୟ ପ୍ରତି ସମବେଦନା ଜଣାଇଛନ୍ତି। କିନ୍ତୁ ଏହାର ବିପରୀତ ଭାବେ, ମାଲକାନଗିରି ଜିଲ୍ଲାର ବହୁ ବନ୍ଧୁ, ଶୁଭେଚ୍ଛୁ ଓ କ୍ରୀଡ଼ାପ୍ରେମୀ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲାର ଜଣେ ଗର୍ବିତ କ୍ରୀଡ଼ାବିତ୍ଙ୍କ ବିୟୋଗ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସରକାରୀ ଶୋକବାର୍ତ୍ତା କିମ୍ବା ବିଶେଷ ସମ୍ମାନ ପ୍ରଦର୍ଶନ ଦେଖିବାକୁ ମିଳିନଥିବାରୁ ସେମାନେ ନିରାଶା ଓ କ୍ଷୋଭ ପ୍ରକାଶ କରିଛନ୍ତି।
ତେବେ ଏହି ମତାମତ ବନ୍ଧୁ, ଶୁଭେଚ୍ଛୁ ଓ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଉପରେ ଆଧାରିତ ଥିବା ବେଳେ, ଏହା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।
