
ଉମରକୋଟ/ରାଇଘର : ରାଇଘର ମୁଣ୍ଡିବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିନାଶପାଣୀ ଗ୍ରାମରେ ଏକ ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ମା’ ଓ ଝିଅଙ୍କ ଅକାଳ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଦୁଇଜଣ ହେଲେ ଦୈମତୀ ମୁଦୁଲି ଓ ତାଙ୍କ ଝିଅ ଚମ୍ପା ମୁଦୁଲି।
ସୂଚନା ଅନୁସାରେ, ମା’ ଦୈମତୀ ମୁଦୁଲି ଓ ଝିଅ ଚମ୍ପା ମୁଦୁଲି ନିଜ ଜମିରେ ଥିବା କୁସୁମ ଗଛରୁ କୁସୁମ କୋଳି ତୋଳିବା ପାଇଁ ଯାଇଥିଲେ। ସେହି ସମୟରେ ଅଞ୍ଚଳରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇ ବର୍ଷା ସହ ଘଡ଼ଘଡ଼ି ଆରମ୍ଭ ହୋଇଥିଲା। କିଛି ସମୟ ପରେ ହଠାତ୍ ବଜ୍ରପାତ ହେବାରୁ ଉଭୟ ମା’ ଓ ଝିଅ ଏହାର ଶିକାର ହୋଇଥିଲେ।
ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନେବାର ପ୍ରୟାସ କରାଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।
ଏହି ଦୁଃଖଦ ଘଟଣା ପରେ ସମଗ୍ର ନିନାଶପାଣୀ ଗ୍ରାମ ସହ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଶେଷ କରି ଚମ୍ପା ମୁଦୁଲି ସ୍ଥାନୀୟ ବିଦ୍ୟାଳୟରେ ଶିଶୁ ସେବିକା ଭାବେ କାର୍ଯ୍ୟରତ ଥିବାରୁ ତାଙ୍କ ଅକାଳ ବିୟୋଗରେ ବିଦ୍ୟାଳୟ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ ପାଇଛି।
ଘଟଣା ପରେ ଗ୍ରାମବାସୀମାନେ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଦାବି କରିଛନ୍ତି। ପ୍ରକୃତିର କରାଳ ରୂପରେ ଏକ ମୁହୂର୍ତ୍ତରେ ଗୋଟିଏ ପରିବାରର ସମସ୍ତ ଖୁସି ଛିନି ନେଇଥିବା ଏହି ଘଟଣା ଅଞ୍ଚଳବାସୀଙ୍କ ମନରେ ଗଭୀର ଦୁଃଖ ଛାଡ଼ି ଯାଇଛି।
