
- ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ସୁଦୃଢ ହେଉଛି ଜୀବିକା
ବ୍ରହ୍ମପୁର : ଗାଁ ରୁ ସହର ଯାଏ କିଆ ଫୁଲର ବାସ୍ନା ବିଷୟରେ କିଏ ନ ଜାଣେ। ମନ୍ଦିରରେ ଠାକୁର ପୂଜା ଠାରୁ ଆରମ୍ଭ କରି ଘର ସଜ୍ଜା ପର୍ଯ୍ୟନ୍ତ ସବୁଠି ମହକୁ ଥାଏ କିଆ ଫୁଲର ବାସ୍ନା। ସେଥିପାଇଁ କଥା କଥାରେ ଲୋକେ କୁହନ୍ତି, କିଆ ଫୁଲ ପରି ବାସୁଛି। ଏହି ଫୁଲ ଭରପୁର ମାତ୍ରାରେ ଉପଲବ୍ଧ ରହିଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏବଂ ଏହି ଫୁଲ ଚାଷକରି ଓ ଏହାର ଅତର ପ୍ରସ୍ତୁତ କରି ଲାଭବାନ ହେଉଛନ୍ତି ଅନେକ ଚାଷୀ। ଖାଲି ଯେ କେବଳ ଫୁଲ ଚାଷ କରୁଛନ୍ତି ତା’ ନୁହେଁ। ବରଂ ଅନେକ ଏହି କିଆ ବା କେୱଡ଼ା ଫୁଲ ପ୍ରକ୍ରିୟା କରଣ ୟୁନିଟ୍ ପ୍ରତିଷ୍ଠା କରି ଏହାର ଅତର ପ୍ରସ୍ତୁତ କରୁଛନ୍ତି ଏହା ବାହାର ଦେଶକୁ ମଧ୍ୟ ରପ୍ତାନୀ କରୁଛନ୍ତି।
ଏହି କ୍ରମରେ, ଛତ୍ରପୁର ବ୍ଳକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ଯୁବଚାଷୀମାନେ କିଆ ଫୁଲ ଅତର ବ୍ୟବସାୟ ଆରମ୍ଭ କରି ଅଞ୍ଚଳ ପାଇଁ ସାଜିଛନ୍ତି ଉଦାହରଣ। ସ୍ଥାନୀୟ ଅଞ୍ଚଳରେ ସାମାଜିକ ଉନ୍ନତିମୂଳକ କାର୍ଯ୍ଯ କରିଆସୁଥିବା ଟାଟା ଷ୍ଟିଲ ଫାଉଣ୍ଡେସନର ସହଯୋଗରେ ଏହି ଯୁବଚାଷୀ ମାନେ ସଫଳତାର ସହ ପ୍ରତିଷ୍ଠା କରିଛନ୍ତି ଏକ କିଆ/କେୱଡ଼ା ଫୁଲ ପ୍ରକ୍ରିୟା କରଣ ୟୁନିଟ୍। ବିଶ୍ଵ ବଜାର, ବିଶେଷ କରି ଆରବ ଦେଶ ଗୁଡ଼ିକରେ ଏହାର ଅନେକ ଚାହିଦା ଥିବାରୁ, ଏହି ବ୍ୟବସାୟ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି ଏହି ଯୁବଗୋଷ୍ଠୀ।
ଫାଉଣ୍ଡେସନର ସହଯୋଗରେ କାଳିପଲ୍ଲୀ ଗାଁରେ ୨୦ଟି ପରିବାରର ୧୧୫ଜଣଙ୍କୁ ନେଇ ଗଠନ କରାଯାଇଛି “କାଳିପଲ୍ଲୀ ୟୁଥ୍ କେୱଡ଼ା ସୋସାଇଟି”। ୨୦୨୩ ମସିହାଠାରୁ କାର୍ଯ୍ୟକ୍ଷମ ହୋଇଆସୁଥିବା ଏହି ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଫାଉଣ୍ଡେସନ ଏକକାଳୀନ ଭାବେ ୨୯ ଲକ୍ଷ ୭୫ ହଜାର ଟଙ୍କାର ସହାୟତା ପ୍ରଦାନ କରିଛି।
ସ୍ଥାନୀୟ ସମ୍ବଳର ସୁବିନିଯୋଗ କରି ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସ୍ବାବଲମ୍ବୀ ହେବାରେ ସହଯୋଗ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି ଏବଂ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଲୋକମାନଙ୍କୁ ସ୍ଥାୟୀସମୃଦ୍ଧି ଆଡ଼କୁ ଅଗ୍ରସର ହେବାକୁ ସାହାଯ୍ୟ କରୁଛୁ ବୋଲି କହିଛନ୍ତି, ଟାଟା ଷ୍ଟିଲ ଫାଉଣ୍ଡେସନର ଗୋପାଳପୁର ୟୁନିଟ୍ ମୁଖ୍ୟ ଡ. ଜୟନ୍ତ କୁମାର ତ୍ରିପାଠୀ।
ସମୂହ ମାଲିକାନା ଓ ଉତ୍ତରଦାୟିତ୍ୱ ସମ୍ପନ୍ନ ଏହି ଉପକ୍ରମରେ ସାମିଲ ହୋଇ ଫାଉଣ୍ଡେସନ ପକ୍ଷରୁ ପ୍ରକ୍ରିୟାକରଣ ଯନ୍ତ୍ରପାତି ଓ ତମ୍ବା ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ, ସୋସାଇଟି ପକ୍ଷରୁ ଆବଶ୍ୟକ ଭିତ୍ତିଭୂମୀ ସ୍ଥାପନ କରାଯାଇଛି। ପୂର୍ବରୁ ସୋସାଇଟି ସଦସ୍ୟ ମାନେ କେବଳ କିଆ ଫୁଲ ବିକ୍ରିରେ ସିମୀତ ଥିବାବେଳେ, ଏହି ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନ ଦ୍ଵାରା ନିଜେ କିଆ ଫୁଲରୁ ଅତର ପ୍ରସ୍ତୁତ କରି ଢେର୍ ଅଧିକ ବ୍ୟବସାୟ କରିପାରୁଛନ୍ତି।
ଆଗରୁ ଆମକୁ କିଆ ଫୁଲ ବିକ୍ରି ପାଇଁ ଏଜେଣ୍ଟ ମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିବା ବେଳେ ଏବେ ଆମେ ନିଜେ ଏହାର ପ୍ରକ୍ରିୟା କରଣ କରି ଭଲ ଲାଭ ପାଇପାରୁଛୁ ବୋଲି କହିଛନ୍ତି କାଳିପଲ୍ଲୀ ୟୁଥ୍ କେୱଡ଼ା ସୋସାଇଟିର ସଭାପତି ବଙ୍ଗାରି ଶ୍ରୀନିବାସ।
କାଳିପଲ୍ଲୀରେ କେୱଡ଼ା ଉତ୍ପାଦନ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ଓ ନଭେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ହେଉଥିବା ବେଳେ ଏଥିରେ ସଦସ୍ୟ ମାନଙ୍କର ସମ୍ପୂର୍ଣ୍ଣ ପରିବାର ନିୟୋଜିତ ରହିଥାନ୍ତି। ତେବେ ଗତ ଉତ୍ପାଦନ ଋତୁରେ ୨୨ କେଜି କେୱଡ଼ା ରୁହ୍ (ସୁଗନ୍ଧିତ ତେଲ) ପ୍ରସ୍ତୁତକରି ୨୦ ଲକ୍ଷ ୪୦ ହଜାର ଟଙ୍କାର ଲାଭ ପାଇପାରିଛି ଏହି ସୋସାଇଟି।
ଏହି କେୱଡ଼ା ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନ ଦ୍ୱାରା ଆମର ଆର୍ଥିକ ଅବସ୍ଥା ଅଧିକ ସୁଦୃଢ଼ ହେବାସହ ଭବିଷ୍ୟତକୁ ନେଇ ଆମର ଆତ୍ମବିଶ୍ବାସ ବୃଦ୍ଧି ପାଇଛି ବୋଲି କହିଛନ୍ତି ସୋସାଇଟିର ସମ୍ପାଦକ ବି. ଧରମା ରାଓ।
