ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

add-all

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗନ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ମହାପାତ୍ରଙ୍କ ମିଳିତ ଆବାହକତ୍ୱରେ ମନ୍ଦିର ପରିସରରେ ମହା ଆଡମ୍ବର ସହକାରେ ସ୍ନାନ ନୀତି ପାଳିତ ହୋଇଯାଇଅଛି । ମନ୍ଦିର ପରିସରସ୍ଥ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ବିଜେ କରାଯାଇଥିଲା । ସକାଳୁ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପ୍ରଥମେ ସୁଦର୍ଶନ, ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଶତାଧିକ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନୀ ମଧ୍ୟରେ ପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ଅଣାଯାଇଥିଲା। ଦିବ୍ୟ ସ୍ନାନ ନୀତି ଭକ୍ତିମୟ ପରିବଶରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା l

ଏହି ଦୁର୍ଲଭ ଦୃଶ୍ୟ କୁ ଦର୍ଶନ କରିବା ପାଇଁ ସମଗ୍ର ମନ୍ଦିର ପରିସରରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କାହା ହାତରେ ତୁଳସୀ, କାହା ମୁହଁରେ ଜୟ ଜଗନ୍ନାଥର ଧ୍ୱନି ତ ଆଉ କାହା ଆଖିରେ ଭକ୍ତିର ଅଶ୍ରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ବହୁ ଦିନର ଅପେକ୍ଷା ପରେ ଆଜି ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳାକୁ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ । ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ମନ୍ଦିର ପରିସର। ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନରେ ଭାବବିହ୍ୱଳ ହୋଇଉଠିଛି ସମଗ୍ର ରାଜସୁନାଖଳା ଅଞ୍ଚଳ । ଅପରାହ୍ନରେ ଠାକୁରଙ୍କ ଗଜାନନ ବେଶ, ଭୋଗ ଲାଗି, ସନ୍ଧ୍ୟା ଆଳତି ଓ ରାତ୍ରିରେ ମହାଆଳତି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଉତ୍ସବରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରି ପରିଚାଳନା କରିଥିଲେ । ଶତାଧିକ ଭକ୍ତ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଉତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମନ୍ଦିରର ପୁରୋହିତ ଗୌର ଚରଣ ମିଶ୍ର, ମନ୍ଦିର ପୂଜକ ଜୟନ୍ତ ମିଶ୍ର, ସେବାୟତ ବଳଭଦ୍ର ରଣା,ନାରାୟଣ ରଣା ସମେତ ବ୍ରାହ୍ମଣ ସମାଜ, ପୂଜକ ମଣ୍ଡଳୀ ସ୍ନାନ ନୀତି ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.