
ମୟୂରଭଞ୍ଜ: ଶିକ୍ଷକଙ୍କ ପାଇଁ ଚାଲି ଚାଲି ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ କଲେ ଗୁହାରି। ଡହଡହ ଖରାରେ ଛାତ୍ରଛାତ୍ରୀ ଦୁଇ କିଲୋମିଟର ଚାଲିଚାଲି ଆସି ‘ଆମକୁ ମାଷ୍ଟର୍ ଦିଅ’ କହି ଜଣାଇଲେ ଗୁହାରି। ଶିକ୍ଷକ ନିଯୁକ୍ତିକୁ ନେଇ କଲେ ଦାବି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଦେଖିବାକୁ ମିଳିଛି ଏଭଳି ଏଭଳି ଦୃଶ୍ୟ। ସୂଚନା ଅନୁସାରେ ଉଦଳା ବ୍ଲକ ବଡ଼ଖମଣ ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ଓ ଗଣିତ ଶିକ୍ଷକ କେହି ନାହାଁନ୍ତି। ଏକ ବର୍ଷରୁ ଅଧିକ ହେବ ଏହି ଦୁଇ ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଫଳରେ ପିଲାଙ୍କୁ ପାଠ ପଢାରେ ଅସୁବିଧା ହେଉଛି।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ରଙ୍କ ଗଣିତ ଏବଂ ଇଂରାଜୀ ବିଷୟ ଖରାପ ହୋଇଥିଲା। ପୂର୍ବରୁ ଏହି ଦୁଇ ପଦବୀ ପୂରଣ ପାଇଁ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ବାରମ୍ବାର ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇପାରିନାହିଁ । ଆଜି ପୁଣି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମାନେ ଗାଁରୁ ଆସିଥିବା ବେଳେ ଦୁଇ କିଲୋମିଟରରୁ ଅଧିକ ରାସ୍ତା ଛାତ୍ରଛାତ୍ରୀ ମାନେ ଚାଲିଚାଲି ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ଗୁହାରି ଜଣାଇଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ।
