
ରାଉରକେଲା, ୩୦ ଜୁନ୍ (ନିସର୍ତ୍ତ ନ୍ୟୁଜ): ସାଇବର ଅପରାଧ ବିରୁଦ୍ଧରେ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ମିଛ ପରିଚୟ ଦେଇ ଜଣେ ରାଉରକେଲା ବାସିନ୍ଦାଙ୍କ ଠାରୁ ୧୪.୩୬ ଲକ୍ଷ ଟଙ୍କା ଠକେଇ ସହିତ ଜଡିତ ଏକ “ଡିଜିଟାଲ ଗିରଫ” (ଡିଜିଟାଲ ଆରେଷ୍ଟ) ସାଇବର ସ୍କାମ୍ର ପୋଲିସ ସଫଳତାର ସହ ପର୍ଦ୍ଦାଫାଶ କରିଛି। ସୂକ୍ଷ୍ମ ବୈଷୟିକ ବିଶ୍ଳେଷଣ ଆଧାରରେ ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇରୁ ଖୋଜି ବାହାର କରିବା ସହ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ପ୍ରାଥମିକ ତଦନ୍ତରୁ ଏହା ଏକ ସଂଗଠିତ ଆନ୍ତଃରାଜ୍ୟ ସାଇବର ଅପରାଧ ନେଟୱାର୍କ ସହିତ ଜଡ଼ିତ ଥିବା ଜଣାପଡ଼ିଛି ଏବଂ ଏହି ଘଟଣାରେ ଅଧିକ ଖୋଳତାଡ ଜାରି ରହିଛି।
ଏହି ସଂଘାତିକ ଠକେଇକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସାର୍ବଜନୀନ ସଚେତନତା ପାଇଁ ଏକ ପରାମର୍ଶ ଜାରି କରାଯାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ବି ଆଇନ ପ୍ରବର୍ତ୍ତନ ସଂସ୍ଥା କେବେହେଲେ ଭିଡିଓ କଲ୍ ମାଧ୍ୟମରେ ଟଙ୍କା ଦାବି କରନ୍ତି ନାହିଁ କିମ୍ବା ଏଭଳି ଉପାୟରେ କାହାକୁ ତଦନ୍ତ ପରିସରଭୁକ୍ତ କରନ୍ତି ନାହିଁ। ଯଦି କୌଣସି ବ୍ୟକ୍ତି ଏଭଳି ସନ୍ଦେହଜନକ କଲ୍ ପାଆନ୍ତି, ତେବେ ଭୟଭୀତ ନହୋଇ ତୁରନ୍ତ ଫୋନ୍ କାଟିଦେବା ଉଚିତ। ଏହାସହ ଏଭଳି ଘଟଣା ସମ୍ପର୍କରେ ସୂଚନା ଦେବା ପାଇଁ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ କୁ କଲ୍ କରିବାକୁ କିମ୍ବା ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ ମାଧ୍ୟମରେ ତୁରନ୍ତ ଅଭିଯୋଗ ଦାୟର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
