
ମାଲକାନଗିରି, : ମାଲକାନଗିରି ଜିଲ୍ଲାର ଗର୍ବ, ବିଶିଷ୍ଟ ତୀରନ୍ଦାଜ ଓ ତୀରନ୍ଦାଜୀ ପ୍ରଶିକ୍ଷକ ରାଜେଶ ହାଁସଦାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିବା ବେଳେ କ୍ରୀଡ଼ାବିତ୍ ମହଲରେ ଏକ ଅପୂରଣୀୟ କ୍ଷତି ହୋଇଛି । ରାଜେଶ ହାଁସଦା ୧୯୮୯ ମସିହାରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI)ର ଟ୍ୟାଲେଣ୍ଟ ସର୍ଚ୍ଚ କ୍ୟାମ୍ପ ମାଧ୍ୟମରେ ଚୟନିତ ହୋଇ ସେ ତୀରନ୍ଦାଜୀ କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଦିଲ୍ଲୀରେ ପ୍ରଶିକ୍ଷଣ ଗ୍ରହଣ କରି ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ନିଜ କ୍ରୀଡ଼ା ଜୀବନରେ ୧୩ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ଜିତିବା ସହ ୧୯୯୮ ଏସିଆନ୍ ଗେମ୍ସରେ ଅଂଶଗ୍ରହଣ କରିଥିଲେ। ୨୦୦୨ ମସିହାରେ ଚୀନରେ ଆୟୋଜିତ ଦ୍ୱିତୀୟ ଏସିଆନ୍ ଗ୍ରାଣ୍ଡ ପ୍ରିକ୍ସରେ ସେ ଷଷ୍ଠ ସ୍ଥାନ ଅଧିକାର କରିଥିଲେ। ଏହି ମହାନ୍ କ୍ରୀଡ଼ାବିତ୍ ଙ୍କ ଉଦ୍ଧେଶରେ ଆଜି ମାଲକାନଗିରି ଡିଏନକେ ଖେଳ ପଡିଆ ଠାରେ ଜିଲ୍ଲାର ବିଭିନ୍ନ କ୍ରୀଡ଼ାବିତ୍ ସମେତ ବୁଦ୍ଧିଜୀବୀ ସ୍କୃତିଚାରଣ କରିବା ସହ ଶ୍ରଦ୍ଧଞ୍ଜଳି ପ୍ରଦାନ କରିଥିଲେ ।
