ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ, ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

add-all

ନୟାଗଡ଼, ୩୦/୦୬(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦର୍ଶ ଶିକ୍ଷକ ପର୍ଶୁରାମ ସାହୁ ଓ ପ୍ରଫୁଲ ଦେବତାଙ୍କ ଅବସର ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭାବପ୍ରବଣ ହୋଇଉଠିଥିଲା।

ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ମୁଖ୍ୟ ଅତିଥି, ଅଧ୍ୟାପିକା ସୌଦାମିନୀ ପାଇକରାୟ ମୁଖ୍ୟ ବକ୍ତା ଏବଂ ଗଡ଼ବାଣିକିଲୋ ସରପଞ୍ଚ ବ୍ରଜ ମୋହନ ରାଉତରାୟ, ତରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲେଶ୍ୱର ପରିଡା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବାକର ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକ ଦ୍ୱୟଙ୍କ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଶିକ୍ଷା କ୍ଷେତ୍ରରେ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ।

ବଡ଼ ପଥୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁମାର ସାମନ୍ତରାୟ ସଭା ପରିଚାଳନା କରିଥିବା ବେଳେ, ସୁନାଖଳା ସର୍କଲ ସଭାପତି ଭାଗିରଥି ସାବୁ, ସମ୍ପାଦକ ଶେଷଦେବ ସାହୁ, ବ୍ଲକ ସଭ୍ୟ ପବିତ୍ର ମୋହନ ସାମନ୍ତରାୟ, ବ୍ଲକ ମିଡିଆ କୋଅର୍ଡିନେଟର ସୁଶୀଲ କୁମାର ରଣା, କ୍ଲଷ୍ଟର ସାଧନ ସଂଯୋଜକ ଅଶୋକ କୁମାର ବେହେରାଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଦାୟୀ ଶିକ୍ଷକମାନଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ।

ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଏବଂ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ସଭା ଶେଷରେ ବିଦାୟୀ ଶିକ୍ଷକ ଦ୍ୱୟଙ୍କୁ ବାଣ, ବାଜା ଓ ରୋଷଣୀର ତାଳେ ତାଳେ ଭବ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା, ଯାହା ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଓ ଭାବବିହ୍ୱଳ ମୁହୂର୍ତ୍ତ ପାଲଟିଥିଲା। ବିଦାୟ ବେଳେ ଅନେକଙ୍କ ଆଖିରେ ଲୁହ ଓ ମନରେ କୃତଜ୍ଞତାର ଭାବ ସ୍ପଷ୍ଟ ବାରି ହୋଇପଡ଼ୁଥିଲା।

ad-week
Leave A Reply

Your email address will not be published.