
ଉମରକୋଟ / ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବଜାରରେ ବଡା ଛତୁ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ବଜାରରେ ଏହାର ଦର କିଲୋ ପିଛା ପ୍ରାୟ ୧୨ଶହ ଟଙ୍କା ରହିଥିବା ବେଳେ ଏହି ଅଧିକ ଦର ସତ୍ତ୍ୱେ ମଧ୍ୟ ଏହାର ଚାହିଦା କମିନଥିବା ଦେଖାଯାଇଛି। ଫଳରେ ବ୍ୟବସାୟୀମାନେ ମଧ୍ୟ ଚଢା ଦରରେ ଏହାକୁ ବିକ୍ରି କରୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୂର୍ବରୁ ଜଙ୍ଗଲ ଓ ପାହାଡ଼ଘେରା ଝରିଗାଁ ବ୍ଲକ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ଜଙ୍ଗଲଜାତ ଖାଦ୍ୟ ସାମଗ୍ରୀ ସଂଗ୍ରହ କରି ନିଜ ପରିବାରର ଖାଦ୍ୟ ଚାହିଦା ପୂରଣ ସହ ବଜାରରେ ବିକ୍ରି କରି କିଛି ରୋଜଗାର କରୁଥିଲେ। ବର୍ଷା ଋତୁ ଆସିବା ସହିତ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ପ୍ରକାରର ଛତୁ, କନ୍ଦମୂଳ ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ଖାଦ୍ୟ ସାମଗ୍ରୀ ପ୍ରଚୁର ପରିମାଣରେ ମିଳୁଥିଲା। ଏହା ଗ୍ରାମାଞ୍ଚଳର ଲୋକଙ୍କ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା।
ମାତ୍ର ବର୍ତ୍ତମାନ ସମୟରେ ଜଙ୍ଗଲ କ୍ଷୟ, ପରିବେଶ ଅସନ୍ତୁଳନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଏହି ସବୁ ଜଙ୍ଗଲଜାତ ଖାଦ୍ୟ ସାମଗ୍ରୀର ପରିମାଣ କ୍ରମାଗତ ଭାବେ କମିବାରେ ଲାଗିଛି। ଫଳସ୍ୱରୂପ ବ୍ଲକର ବିଭିନ୍ନ ଅଞ୍ଚଳରେ ପୂର୍ବପରି ଜଙ୍ଗଲ ଖାଦ୍ୟର ଉପଲବ୍ଧତା ଆଉ ଦେଖିବାକୁ ମିଳୁନାହିଁ। ଏହାର ପ୍ରଭାବ ଏବେ ସ୍ଥାନୀୟ ବଜାର ଉପରେ ମଧ୍ୟ ପଡ଼ିଛି।
ସ୍ଥାନୀୟ ବ୍ୟବସାୟୀଙ୍କ ସୂଚନା ଅନୁଯାୟୀ, ଝରିଗାଁ ବଜାରରେ ବିକ୍ରି ହେଉଥିବା ବଡା ଛତୁ ମୁଖ୍ୟତଃ ଛତିଶଗଡ଼ ଜଙ୍ଗଲ ଅଞ୍ଚଳରୁ ଅଣାଯାଉଛି। ଅଧିକ ଚାହିଦା ଏବଂ ସୀମିତ ଉପଲବ୍ଧତା ଯୋଗୁଁ ଏହାର ଦର ଆକାଶଛୁଆଁ ହୋଇଥିବା କୁହାଯାଉଛି। ବ୍ୟବସାୟୀମାନେ ଦର କମାଇବାକୁ ରାଜି ହେଉନଥିବା ବେଳେ, ଛତୁ ପ୍ରତି ଆଗ୍ରହ ରଖୁଥିବା ଖାଉଟିମାନେ ବାଧ୍ୟ ହୋଇ ଚଢା ଦରରେ ଏହାକୁ କିଣୁଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ ମତରେ, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇନଥିଲେ ଆଗାମୀ ଦିନରେ ଜଙ୍ଗଲଜାତ ଖାଦ୍ୟ ସାମଗ୍ରୀର ଅଭାବ ଭବିଷ୍ୟତରେ ଆହୁରି ଗଭୀର ହୋଇପାରେ ବଲି ବୁଦ୍ଧିଜୀବୀ ମହଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
(ଉମରକୋଟ ରୁ, ରସିକ ସରକାର )
