କୁତ୍ରା ବ୍ଲକରେ ଆତଙ୍କ: ହାଇୱା ଉପରକୁ ଅତର୍କିତ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

add-all

କୁତ୍ରା/ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅଞ୍ଚଳରେ ଏକ ସାଂଘାତିକ ସଶସ୍ତ୍ର ଆକ୍ରମଣର ଘଟଣା ସାମ୍ନାକୁ ଆସିଛି। ଆଜି ଭୋର ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ଖତକୁଲବାହାଲ ଗ୍ରାମରୁ ଗିଟି ଚିପ୍ସ ବୋଝେଇ କରି ଖାଲି କରିବାକୁ ଯାଉଥିବା ଏକ ଡମ୍ଫର (JH 07 K 4152) ଉପରକୁ ଦୁର୍ବୃତ୍ତମାନେ ଅତର୍କିତ ଗୁଳିଚାଳନା କରିଛନ୍ତି। ତେବେ ଡ୍ରାଇଭରଙ୍କ ଚାଲାକି ଯୋଗୁଁ ଗାଡ଼ିରେ ଥିବା ଦୁଇଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ, ଗିଟି ବୋଝେଇ ଡମ୍ଫରଟି ବାହାରିବା ସମୟରେ ଖତକୁଲବାହାଲଠାରୁ ହିଁ ଦୁଇଟି ମୋଟରସାଇକେଲରେ ୪ ଜଣ ଦୁର୍ବୃତ୍ତ ଗାଡ଼ିର ପିଛା କରିଥିଲେ। ସେମାନେ ବାଟରେ ଡମ୍ଫରକୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହେବା ପରେ, ଲିଟିବେଡା ତିନିଛକି ନିକଟରେ ଗାଡ଼ି ଆଗକୁ ଆସି ଅତର୍କିତ ଭାବେ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ଡମ୍ଫର ଡ୍ରାଇଭର ବନାରସୀ ଓରାମ ଏବଂ ଗାଡ଼ିରେ ଥିବା ଅମିତ୍ ଲାହିରିଙ୍କୁ ଲକ୍ଷ୍ୟ କରି ଏହି ଗୁଳିମାଡ଼ କରିଥିଲେ। ମାତ୍ର ଡ୍ରାଇଭର ନିଜ କୌଶଳ ବଳରେ ଗାଡ଼ିକୁ ସେଠାରୁ ସୁରକ୍ଷିତ ଭାବେ ଖସାଇ ଆଣିବାରେ ସଫଳ ହେବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଆକ୍ରମଣରୁ ରକ୍ଷା ପାଇବା ପରେ ଡ୍ରାଇଭର ତୁରନ୍ତ ଗାଡ଼ି ମାଲିକ ସାୱନ ଲାହିରିଙ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଗାଡ଼ି ମାଲିକ କୁତ୍ରା ଥାନାକୁ ସୂଚନା ଦେବା ସହ ନିଜ ଆତ୍ମୀୟ ସ୍ୱଜନଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ କୁତ୍ରା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲୋକେଶ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ରାସ୍ତାରୁ ବନ୍ଧୁକ ଗୁଳିର ଖୋକା ଜବତ ହେବା ପରେ, ଘଟଣାର ଗହନ ଅନୁସନ୍ଧାନ ପାଇଁ ସୁନ୍ଦରଗଡ଼ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍‌କୁ ଡକାଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଧିବଦ୍ଧ ଯାଞ୍ଚ କରିବା ସହ ଗୁଳିର ଖୋକାଗୁଡ଼ିକୁ ନିଜ ହେପାଜତକୁ ନେଇଛି।

ଗାଡ଼ି ମାଲିକ ସାୱନ ଲାହିରି କୁତ୍ରା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, କିଛି ଦିନ ହେବ କିଛି ସ୍ଥାନୀୟ ଦୁର୍ବୃତ୍ତ ଅଞ୍ଚଳରେ ଚାଲୁଥିବା ପ୍ରତ୍ୟେକ ଗାଡ଼ିରୁ ଦାଦାବଟି (ରଙ୍ଗଦାରୀ ଟିକସ) ଦାବି କରିଆସୁଥିଲେ। ଦାଦାବଟି ନଦେଲେ ଏହି ଅଞ୍ଚଳରେ ଗାଡ଼ି ଚଲାଇବାକୁ ଦିଆଯିବ ନାହିଁ ବୋଲି ସେମାନେ ବାରମ୍ବାର ଧମକ ଦେଉଥିଲେ। ପୋଲିସ ଏହି ଏତଲାକୁ ଭିତ୍ତି କରି ଏକ ସଂଗୀନ ମାମଲା ରୁଜୁ କରିବା ସହ ଫେରାର ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ad-week
Leave A Reply

Your email address will not be published.