ପ୍ରଶାସନର ଅବହେଳା ପରେ ଆଗେଇ ଆସିଲେ ବିଧାୟକ: ନିଜ ପାଣ୍ଠିରୁ ଓଡ଼ିଶା-ଝାଡ଼ଖଣ୍ଡ ସଂଯୋଗୀକାରୀ ‘ଲକ୍ଷ୍ମୀପୋଷ-ଦଲକି’ ସେତୁ ମରାମତି କଲେ ରୋହିତ ଜୋସେଫ ତୀର୍କୀ

add-all

କୁଆଁରମୁଣ୍ଡା/ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଦଲକି ପଞ୍ଚାୟତ ଓଡ଼ିଶା ଓ ଝାଡ଼ଖଣ୍ଡ (ରାଞ୍ଚି)କୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ‘ଲକ୍ଷ୍ମୀପୋଷ-ଦଲକି’ ସେତୁର ମରାମତି ପାଇଁ ଶେଷରେ ଆଗେଇ ଆସିଛନ୍ତି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀ। ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଦୀର୍ଘଦିନର ଅବହେଳା ପରେ, ବିଧାୟକ ନିଜ ଜନ୍ମଦିନ ଅବସରରେ ନିଜସ୍ୱ ପାଣ୍ଠିରୁ ଏହି ବ୍ୟସ୍ତବହୁଳ ସେତୁର ମରାମତି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ଏହି ସେତୁଟି ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଏହା ଉପରେ ସ୍ଥାନୀୟ ୯ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରନ୍ତି। ପ୍ରତିଦିନ ଏହି ପୋଲ ଦେଇ ହଜାର ହଜାର ଗାଡ଼ି ମୋଟର ଯାତାୟାତ କରିଥାଏ। ମାତ୍ର ଦୀର୍ଘ ଦିନ ହେବ ପୋଲଟି ମରାମତି ଅଭାବରୁ ବଡ଼ ବଡ଼ ଖାଲଖମାରେ ପରିଣତ ହୋଇଥିଲା। ବିଶେଷ କରି ବର୍ଷା ଦିନେ ଏହି ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ବାଇକ୍, ସ୍କୁଟି ଓ ସାଇକେଲ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହେବା ସହ କେତେକ ସ୍ଥଳେ ଅମୂଲ୍ୟ ଜୀବନ ମଧ୍ୟ ହରାଇଛନ୍ତି।
ସେତୁର ନବୀକରଣ ଓ ମରାମତି ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଦରଖାସ୍ତ ଦିଆଯିବା ସହ ବାରମ୍ବାର ଅନୁରୋଧ ଓ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତଥାପି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାର ଜନସାଧାରଣଙ୍କ ଏହି ପ୍ରକୃତ ଦାବି ପ୍ରତି କୌଣସି କର୍ଣ୍ଣପାତ କରିନଥିଲେ। ସରକାରଙ୍କ ଏଭଳି ଅଦେଖା ନୀତି ପରେ ବିଧାୟକ ରୋହିତ ଜୋସେଫ ତୀର୍କୀ ନିଜେ ଦାୟିତ୍ୱ ହାତକୁ ନେଇଥିଲେ ଏବଂ ନିଜ ଜନ୍ମଦିନକୁ ଏକ ସେବାମୂଳକ କାର୍ଯ୍ୟରେ ଲଗାଇ ନିଜ ପାଣ୍ଠିରୁ ଏହି ‘ଲାଇଫ୍ ଲାଇନ୍’ ସେତୁର ସଂସ୍କାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ବିଧାୟକ ଶ୍ରୀ ତୀର୍କୀଙ୍କ ନେତୃତ୍ୱରେ ଆୟୋଜିତ ଏହି ମରାମତି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନିଲ ବରୱା, କୁଆଁରମୁଣ୍ଡା ବ୍ଲକ, ରାଜଗାଙ୍ଗପୁର ବ୍ଲକ ଓ କୁତ୍ରା ବ୍ଲକର ବହୁ ଜନପ୍ରତିନିଧି ଏବଂ ଦୁଇ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ବିଧାୟକ ଓ ଦଳୀୟ କର୍ମୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ସେତୁର ମରାମତି କାର୍ଯ୍ୟ କରିବା ସହ ସରକାରଙ୍କ ଉଦାସୀନତା ବିରୋଧରେ ଅସନ୍ତୋଷ ପ୍ରକଟ କରିଛନ୍ତି। ବିଧାୟକଙ୍କ ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.