
ମାର୍ଚ୍ଚରୁ ଲାଗିରହିଥିବା ବିଦ୍ୟୁତ୍ ସମସ୍ୟାର ଅବସାନ, ବିଦ୍ୟାଳୟକୁ ମିଳିଲା ସ୍ୱତନ୍ତ୍ର ୩-ଫେଜ୍ ବିଦ୍ୟୁତ୍ ସଂଯୋଗ ।
ମାଲକାନଗିରି : ଦୀର୍ଘ ଦିନ ଧରି ଲାଗିରହିଥିବା ବିଦ୍ୟୁତ୍ ସମସ୍ୟାର ଅବସାନ ଘଟିବା ପରେ ବିଦ୍ୟାଳୟ ପରିସର, ଛାତ୍ରାବାସ ଓ ଡାଇନିଂ ହଲ୍ ପୁଣିଥରେ ବିଜୁଳି ଆଲୁଅରେ ଆଲୋକିତ ହୋଇଛି। ବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ୩-ଫେଜ୍ ବିଦ୍ୟୁତ୍ ସଂଯୋଗ ମିଳିବା ଫଳରେ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ପାଠପଢ଼ା, ପାନୀୟ ଜଳ ଯୋଗାଣ ଏବଂ ଛାତ୍ରାବାସର ଅନ୍ୟାନ୍ୟ ବ୍ୟବସ୍ଥା ସ୍ୱାଭାବିକ ହୋଇଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଦ୍ୟାଳୟକୁ ଆସୁଥିବା ଏକମାତ୍ର ବିଦ୍ୟୁତ୍ ସଂଯୋଗରୁ ଛାତ୍ରାବାସ ଓ କର୍ମଚାରୀଙ୍କ ବାସଗୃହକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ କରାଯାଉଥିଲା। ଅତ୍ୟଧିକ ଲୋଡ୍ କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ତିନିଥର ଟ୍ରାନ୍ସଫର୍ମର ପୋଡ଼ିଯାଇ ପରିବର୍ତ୍ତନ କରିବାକୁ ପଡ଼ିଥିଲା।
୨୦୨୪ ମସିହାରୁ ନୂତନ ଟ୍ରାନ୍ସଫର୍ମର ଏବଂ ୨୦୨୬ ମସିହାରୁ ସ୍ୱତନ୍ତ୍ର ବିଦ୍ୟୁତ୍ ସଂଯୋଗ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)କୁ ଏକାଧିକ ଥର ଅବଗତ କରାଯାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣରେ ବିଳମ୍ବ ହୋଇଥିଲା।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସମୟରୁ ବିଦ୍ୟୁତ୍ ବିଭ୍ରାଟ ଗୁରୁତର ରୂପ ନେଇଥିଲା। ପୁନର୍ବାର ଜୁଲାଇ ୭ ତାରିଖରେ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ିଥିଲା। ବିଦ୍ୟାଳୟର ଜେନେରେଟର ମଧ୍ୟ ଅଚଳ ଥିବାରୁ ସମଗ୍ର କ୍ୟାମ୍ପସ୍ ଅନ୍ଧକାରରେ ବୁଡ଼ି ରହିଥିଲା। ବିଦ୍ୟୁତ୍ ନଥିବାରୁ ଛାତ୍ରୀମାନଙ୍କ ପାଠପଢ଼ା, ରାତ୍ରିକାଳୀନ ଅଧ୍ୟୟନ, ପାନୀୟ ଜଳ ଯୋଗାଣ ଓ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ହେବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜୁଲାଇ ୯ ତାରିଖ ସୁଦ୍ଧା ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଡାଇନିଂ ହଲକୁ ବିକଳ୍ପ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା କରିଥିଲେ। ପରେ ଆଜି ଅନ୍ୟ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସକୁ ମଧ୍ୟ ନୂତନ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଫଳରେ ବିଦ୍ୟାଳୟର ମୁଖ୍ୟ ପାଣି ମୋଟର ପୁନର୍ବାର ଚାଲୁ ହୋଇ ପାନୀୟ ଜଳ ସମସ୍ୟାର ମଧ୍ୟ ସମାଧାନ ହୋଇଛି।
ଅନ୍ୟପକ୍ଷରେ, ପାଣି ସଙ୍କଟ ଦେଖାଦେବା ପରେ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁରନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଥିଲେ।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ ଦୀର୍ଘ ସମୟ ବିଦ୍ୟୁତ୍ ବିଚ୍ଛିନ୍ନ ରହିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରସ୍ତୁତିରେ ବ୍ୟାପକ କ୍ଷତି ଘଟିଛି।
ଟିପିଏସ୍ଓଡିଏଲ୍ର କନିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଅଧିକାଂଶ କାର୍ଯ୍ୟ ଠିକାଦାରଙ୍କ ମାଧ୍ୟମରେ କରାଯାଉଥିଲେ ମଧ୍ୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସେ ରବିବାର ଦିନ ମଧ୍ୟ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି।
ଏହି ପ୍ରସଙ୍ଗରେ ଆଦିବାସୀ ସଂଘର ରାଜ୍ୟ ସଭାପତି ହଳଧର ପୂଜାରୀ କହିଛନ୍ତି ଯେ, ଭବିଷ୍ୟତରେ ରାଜ୍ୟର କୌଣସି ବିଦ୍ୟାଳୟ କିମ୍ବା ଛାତ୍ରାବାସରେ ଏଭଳି ବିଦ୍ୟୁତ୍ ଅବ୍ୟବସ୍ଥା ଯେପରି ନଘଟେ, ସେଥିପାଇଁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ପୂର୍ବରୁ ସମନ୍ୱିତ ଯୋଜନା ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସୁରକ୍ଷା ସହ ଜଡିତ ଏପରି ମୌଳିକ ସୁବିଧା ପ୍ରତି ସମସ୍ତଙ୍କୁ ଅଧିକ ସଚେତନ ଓ ଦାୟିତ୍ୱବାନ ହେବାକୁ ସେ ଆହ୍ୱାନ କରିଛନ୍ତି।
