ଚିତ୍ରକୋଣ୍ଡା କପାତୁଟି ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସହିତ କନ୍ଧଗୁଡ଼ା ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ମକା ମିଶନ’ର ସମୀକ୍ଷା କଲେ ଜିଲ୍ଲାପାଳ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଏକ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ଏବଂ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।
ଶିବିରରେ ସମସ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଆପତ୍ତି ଶୁଣିବା ସହ ତାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ। ଅନୁଷ୍ଠିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳରୁ ସାଧାରଣ ଲୋକଙ୍କର ବିଭିନ୍ନ ସମସ୍ୟାକୁ ନେଇ ମୋଟ ୭୫ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୨୫ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ଅବଶିଷ୍ଟ ୫୦ଟି ସାମୂହିକ ସମସ୍ୟା ସମ୍ପର୍କିତ ଥିଲା।
ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଉପ-ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଏହି ସମସ୍ତ ଦରଖାସ୍ତଗୁଡ଼ିକର ଗଭୀର ସମୀକ୍ଷା କରି ଗରିବ ତଥା ଅସହାୟ ଲୋକମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ପ୍ରଶାସନିକ ଯୋଜନାର ସଫଳ ରୂପାୟନ ପାଇଁ ସମ୍ପୃକ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଗସ୍ତ ଅବସରରେ ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକ ଅଧୀନସ୍ଥ ଗୁଣ୍ଠାୱାଡା ପଞ୍ଚାୟତର କନ୍ଧଗୁଡ଼ା ଗ୍ରାମ ପରିଦର୍ଶନ କରିଥିଲେ । ସେଠାରେ ‘ମୁଖ୍ୟମନ୍ତ୍ରୀ ମକା ମିଶନ’ ଅଧୀନରେ ଚାଲିଥିବା ମକା ଚାଷ କ୍ଷେତ୍ରକୁ ସେ ବୁଲି ଦେଖିବା ସହ ଯାନ୍ତ୍ରିକ ପଦ୍ଧତିରେ ମଞ୍ଜି ଓ ସାର ବୁଣା ଯନ୍ତ୍ର ମାଧ୍ୟମରେ କରାଯାଉଥିବା ଚାଷ କାର୍ଯ୍ୟର ସମୀକ୍ଷା କରିଥିଲେ । ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଯେପରି ଚାଷୀଙ୍କ ପାଇଁ ଅଧିକ ଲାଭଦାୟକ ହେବ, ସେନେଇ ସେ କୃଷି ବିଭାଗ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଚାଷୀମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଓ ବୈଷୟିକ ପରାମର୍ଶ ଯୋଗାଇ ଦେବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପ୍ରଶାସନର ଏହି ଜନହିତକର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ଚାଷୀକୂଳ ବେଶ୍ ପ୍ରଶଂସା କରିଛନ୍ତି ।ସେହିପରି ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକ ଅଧୀନସ୍ଥ କପାତୁଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ସହ ନିର୍ମାଣାଧୀନ ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
