ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ମାମଲା, SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ

add-all

ଭୁବନେଶ୍ବର: ରାଜକୋଷକୁ୧୭୫ କୋଟିର ଚୂନ! । ବିନା ଯାଞ୍ଚରେ ଛାପିଦେଲେ ଭୁଲ୍ ବହି । ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଓଡ଼ିଶା ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ଓ ବ୍ୟାପକ ଅନିୟମିତତା ଅଭିଯୋଗରେ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଏବଂ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମନୋଜ ପାଢ଼ୀ SCERTର ନିର୍ଦ୍ଦେଶକ ଥିବା ସମୟରେ ଜାତୀୟ ଶିକ୍ଷା ନୀତି NEP- 2020 ଅଧୀନରେ ପାଠ୍ୟପୁସ୍ତକ ପ୍ରସ୍ତୁତିର ସମ୍ପୂର୍ଣ୍ଣ ତଦାରଖ, ସମନ୍ୱୟ ଏବଂ ଅନୁମୋଦନ ଦାୟିତ୍ୱରେ ଥିଲେ । କିନ୍ତୁ ସେ ନିଜ ସରକାରୀ ଦାୟିତ୍ୱକୁ ଅସାଧୁ ଭାବେ ଅବହେଳା କରିବା ସହ ବହିଗୁଡ଼ିକର ବୈଜ୍ଞାନିକ, ଭୌଗୋଳିକ, ଐତିହାସିକ, ଅନୁବାଦ ଓ ଚିତ୍ରଗୁଡ଼ିକୁ କୌଣସି ପ୍ରକାର ଯାଞ୍ଚ ନକରି ଛାପିବା ପାଇଁ ଅନୁମୋଦନ ଦେଇଥିଲେ ।

ଏହି ଚରମ ଅବହେଳା କାରଣରୁ ରାଜ୍ୟରେ ତ୍ରୁଟିପୂର୍ଣ୍ଣ ବହି ବଣ୍ଟନ କରାଯାଇଥିଲା, ଯାହାଦ୍ୱାରା ରାଜକୋଷରୁ ପ୍ରାୟ ୧୭୫ କୋଟି ଟଙ୍କାର ବଡ଼ କ୍ଷତି ଘଟିଛି । ଗତକାଲି କ୍ରାଇମବ୍ରାଞ୍ଚ ଥାନାରେ କେସ୍ ନମ୍ବର ୮ ଅଧୀନରେ ମାମଲା ରୁଜୁ ହେବା ପରେ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନେହେରୁ ନଗରର ବାସିନ୍ଦା ୫୭ ବର୍ଷୀୟ ମନୋଜ ପାଢ଼ୀଙ୍କୁ ଭାରତୀୟ ନ୍ୟାୟ ସଂହିତା BNS 2023 ର ବିଭିନ୍ନ ସଙ୍ଗିନ ଧାରାରେ ଗିରଫ କରାଯାଇଛି ।  BNS ଧାରା ୩୧୬(୫) ସରକାରୀ ଅଧିକାରୀଙ୍କ ଦ୍ୱାରା ଅପରାଧିକ ବିଶ୍ୱାସଭଙ୍ଗ ସରକାରୀ ପାଣ୍ଠି ଏବଂ ଦାୟିତ୍ୱର ଅସାଧୁ ଦୁର୍ବିନିଯୋଗ ପାଇଁ ଏହି ଧାରା ଲାଗିଛି। ଏଥିରେ ସର୍ବାଧିକ ଆଜୀବନ କାରାଦଣ୍ଡ କିମ୍ବା ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ସଜା ସହ ଜରିମାନାର ପ୍ରାବଧାନ ରହିଛି । BNS ଧାରା ୨୦୧ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଭୁଲ୍ ଦସ୍ତାବିଜ୍ ପ୍ରସ୍ତୁତ କରିବା, ଜାଣିଶୁଣି ସରକାରୀ ବହିରେ ଭୁଲ୍ ତଥ୍ୟକୁ ପ୍ରଶ୍ରୟ ଦେଇଥିବାରୁ ଏହି ଧାରା ଲଗାଯାଇଛି ।  ଯେଉଁଥିରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ ।  ଏହି ଅପରାଧରେ ଏକାଧିକ ବ୍ୟକ୍ତି ସାମିଲ ଥିବା ଏବଂ ସମସ୍ତଙ୍କର ସମାନ ଉଦ୍ଦେଶ୍ୟ ଥିବା ଦର୍ଶାଇ BNS ଧାରା ୩(୫) ଲଗାଯାଇଛି। ବହି ଛାପିବା ପାଇଁ ନିୟମାବଳୀକୁ ବାଇପାସ୍ କରି ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର ରଚନା କରିଥିବା ଅଭିଯୋଗରେ BNS ଧାରା ୬୧(୨) ଧାରା ଲାଗିଛି ।

ପାଠ୍ୟପୁସ୍ତକ ଦୁର୍ନୀତି ମାମଲାରେ ଏହା ହେଉଛି ପ୍ରଥମ ବଡ଼ ଗିରଫଦାରୀ । କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ଏହି ବଡ଼ ଅପରାଧିକ ଷଡ଼ଯନ୍ତ୍ର ପଛରେ ଥିବା ଅନ୍ୟ ସହଯୋଗୀ, ପ୍ରିଣ୍ଟର୍ସ ଏବଂ ଏଜେନ୍ସିଗୁଡ଼ିକୁ ଚିହ୍ନଟ କରିବା ପାଇଁ ତଦନ୍ତ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି । ପାଠ୍ୟପୁସ୍ତକ ପ୍ରସ୍ତୁତିର ଟେଣ୍ଡର, ବିଷୟବସ୍ତୁ ଲେଖା, ସମ୍ପାଦନା, ପ୍ରୁଫ୍-ରିଡିଂ, ପ୍ରିଣ୍ଟିଂ କଣ୍ଟ୍ରାକ୍ଟ ଏବଂ ମଞ୍ଜୁରୀ ସହ ଜଡ଼ିତ ସମସ୍ତ ସରକାରୀ ଦସ୍ତାବିଜ୍ ଓ ପ୍ରମାଣ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ତଦନ୍ତ ଆରମ୍ଭ ହେବାର ପ୍ରଥମ ସପ୍ତାହରୁ ଦୁଇ ସପ୍ତାହ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସସିଇଆରଟି କାର୍ଯ୍ୟାଳୟ, ବହି ଛପା ଯାଇଥିବା ପ୍ରିଣ୍ଟିଂ ପ୍ରେସ୍ ଏବଂ ନିଲମ୍ବିତ ଅଧିକାରୀଙ୍କ ବାସଭବନରେ ଚଢ଼ାଉ କରିପାରେ। ସସପେଣ୍ଡ ହୋଇଥିବା ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, କଣ୍ଟ୍ରାକ୍ଟର ଏବଂ ପାଠ୍ୟପୁସ୍ତକ ସଂପାଦନା ମଣ୍ଡଳୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯିବ । ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟିର ରିପୋର୍ଟକୁ ତଦନ୍ତକାରୀ ଦଳ ତଥ୍ୟ ଆଧାରରେ ତର୍ଜମା କରିବେ। ଅପରାଧିକ ଅଭିସନ୍ଧି ବା ବଡ଼ଧରଣର ଅବହେଳାକୁ ପ୍ରମାଣିତ କରିବା ପାଇଁ ଡିଜିଟାଲ ରେକର୍ଡ, ଇମେଲ୍ ଟ୍ରେଲ୍ ଏବଂ ଆର୍ଥିକ କାରବାରର ଫୋରେନ୍ସିକ ଯାଞ୍ଚ କରାଯିବ । ଏଥିରେ ସଂପୃକ୍ତି ଥିବା ଆଉ କିଛି ସରକାରୀ ଅଧିକାରୀ କିମ୍ବା ବେସରକାରୀ ସଂସ୍ଥା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ad-week
Leave A Reply

Your email address will not be published.